ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ପ୍ରସିଦ୍ଧ ଟେଲିଭିଜନ୍‌ ଅଭିନେତ୍ରୀ ଅଟକ

ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ତଥା ଘରେ ଘରେ ଗୋପୀ ବୋହୂ ନାଁରେ ପରିଚିତ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ଅଟକ। ଘାଟ୍‌କୋପର୍‌ର ଜଣେ ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହି ଘଟଣାରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ ଓ କନଷ୍ଟେବଲଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗିରଫ ଦ୍ୱୟ ହେଲେ ସଚିନ୍‌ ପୱର (ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ) ଓ ଦୀନେଶ୍‌ ପୱର(ନିଲମ୍ବିତ ପୁଲିସ୍‌ କନଷ୍ଟେବଲ)। ଏକ ଦୁଷ୍କର୍ମ ମାମଲାରେ ଦୀନେଶ ପୂର୍ବରୁ ଗିରଫ ହୋଇଥିଲେ।

ନଭେମ୍ବର ୨୮ରୁ ଘାଟ୍‌କୋପର୍‌ର ହୀରା ବ୍ୟବସାୟୀ ରାଜେଶ୍ୱର ଉଦାନୀ ନିଖୋଜ ଥିଲେ। ନିଖୋଜ ହେବାର ୧୦ ଦିନ ପରେ ରାଇଗଡ଼ ସ୍ଥିତ ପାନ୍‌ଭେଲ୍‌ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତଦେହରେ କୌଣସି ବି କ୍ଷତଚିହ୍ନ ଦେଖିବାକୁ ମିଳିନି। ତେବେ ରାଜେଶ୍ୱରଙ୍କୁ ଅଲଗା ସ୍ଥାନରେ ହତ୍ୟା କରାଯାଇ ମୃତଦେହକୁ ପାନ୍‌ଭେଲ୍‌ ଜଙ୍ଗଲରେ ଫିଙ୍ଗା ଯାଇଥିବା ନେଇ ସନ୍ଦେହ କରାଯାଉଛି।

ଅନ୍ୟପଟେ ଏହି ଘଟଣାରେ ପ୍ରସିଦ୍ଧ ସିରିଅଲ୍‌ ‘ସାଥ୍‌ ନିଭାନା ସାଥୀୟା’ରେ ଗୋପୀ ବୋହୂ ଚରିତ୍ରରେ ଅଭିନୟ କରିଥିବା ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ପୁଲିସ୍‌ ଅଟକ ରଖି ଅନେକ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା। ତେବେ ଏହି ଘଟଣାରେ ଦେଭୋଲିନାଙ୍କ କ’ଣ ଭୂମିକା ରହିଛି ସେ ମୁହଁ ଖୋଲି ନଥିବା ବେଳେ, ଏହି ଘଟଣାରେ ଏଣ୍ଟରଟେନ୍‌ମେଣ୍ଟ୍‌ ଇଣ୍ଡଷ୍ଟ୍ରିର ଅନେକ ମହିଳାଙ୍କୁ ସମନ ଜାରି କରାଯାଇପାରେ ବୋଲି ପୁଲିସ୍‌ ସଙ୍କେତ ଦେଇଛି।

ସେପଟେ ପୁଲିସ୍‌ର ତଦନ୍ତ ଓ କଲ୍‌ ରେକର୍ଡ ଯାଞ୍ଚରୁ ଜଣାପଡ଼ିଛି ଯେ, ରାଜେଶ୍ୱରଙ୍କ ଅନେକ ମହିଳାଙ୍କ ସହ ଯୋଗାଯୋଗ ଥିଲା। ସେଥିରେ ଗ୍ଲାମର୍‌ ଓ ଏଣ୍ଟରଟେନ୍‌ମେଣ୍ଟ୍‌ ଇଣ୍ଡଷ୍ଟ୍ରିର ଅନେକ ମହିଳା ଅଛନ୍ତି। ସଚିନ୍‌ଙ୍କ ମାଧ୍ୟମରେ ରାଜେଶ୍ୱର ସେମାନଙ୍କୁ ଜାଣିଥିଲେ ବୋଲି ଜଣାପଡ଼ିଛି।

You might also like