କରୋନାର ବାର୍ତ୍ତା ବାଣ୍ଟୁଛି  “୧୯ – ଅଣସର ”

କେହି ଜଣେ କହିଥିଲେ “ଏ ବିଶ୍ୱ ଯୁବକଙ୍କର”। ଏହି ଉକ୍ତିକୁ ତର୍ଜମା କରିବାକୁ ଗଲେ ଜଣାଯାଏ ଯେ ଦେଶ ହେଉ କି ଜାତି, କଳା ହେଉ କି ସଂସ୍କୃତି ସବୁର ବିକାଶ ଦିଗରେ ଯୁବକଙ୍କ ନିରବଚ୍ଛିନ ଉଦ୍ୟମ ରହିଥାଏ। ଆଜି ଏ ଦୁନିଆଁ ଯୁବଶକ୍ତିର କାନ୍ଧରେ ହିଁ ଠିଆ। ତେଣୁ ଭାରତୀୟ ମହାନ ଦାର୍ଶନୀକ ଚାଣକ୍ୟ କହିଥିଲେ, “ବିଶ୍ୱର ସବୁଠାରୁ ବଡ କ୍ଷମତା ହେଉଛି ଯୁବକ”।

ଯଦି ସାମ୍ପ୍ରତିକ କଳା ବା ଅଭିନୟ ଦୁନିଆଁକୁ ଦେଖାଯାଏ ତେବେ ଅନେକ ଯୁବକ ସେମାନଙ୍କ ନିରବଚ୍ଛିନ ଶ୍ରମଦାନ କରିଚାଲିଛନ୍ତି। ସେହିଭଳି ଜଣେ ଯୁବକ ହେଲେ ଅନ୍ତର୍ଯ୍ୟାମୀ ମିଶ୍ର। ନୂଆ ନୂଆ ପାଦ ରଖିଛନ୍ତି ନିର୍ଦ୍ଦେଶନା ଦୁନିଆଁରେ। ମନରେ ଅନେକ ଆଶା ଓ ସ୍ୱପ୍ନ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତଃର୍ଗତ ବେଲସାଉଁଳିଆ ଗ୍ରାମରେ ଜନ୍ମ ହୋଇଥିବା ଅନ୍ତର୍ଯ୍ୟାମୀ ସ୍କୁଲ୍ ସମୟରୁ ସୃଜନ ମନସ୍କ । ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରୁ ଗୀତିକାର ପଞ୍ଚାନନ ନାୟକଙ୍କ ପ୍ରେରଣାରେ ସେ ଗୀତି କବିତା ଲେଖିବାରେ ମନୋନିବେଶ କରିଥିବା କୁହନ୍ତି । ପରେ ପରେ ବାସୁଦେବପୁରର ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ରହି ନିଜ ସୃଜନ ଯାତ୍ରାକୁ ଆଗକୁ ବାହିଥିଲେ । ଯୁକ୍ତ ଦୁଇରେ ପଢିବା ସମୟରେ କିଛି ବନ୍ଧୁମାନଙ୍କ ସହ ମିଶି “ତ୍ରିରଙ୍ଗାର ରଙ୍ଗ” ନାମକ ପତ୍ରିକା ସମ୍ପାଦନା କରିବା ସହ ବିଭିନ୍ନ ସଚେତନମୂଳକ ନାଟକ ଲେଖି ଗାଁ ଗାଁରେ ବୁଲି ପରିବେଷଣ କରୁଥିଲେ ।

ଯୁକ୍ତ ୩ ପଢୁଥିବା ସମୟରୁ ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଗପ ଏବଂ କବିତା ପ୍ରକାଶ ପାଇ ଆସୁଛି । ନାଟକରେ ରୁଚି ରଖିଥିବା ଅନ୍ତର୍ଯ୍ୟାମୀ ଭୁବନେଶ୍ୱରର ନାଟ୍ୟାନୁଷ୍ଠାନ ଉତ୍ତରପୁରୁଷର ନାଟ୍ୟ କର୍ମଶାଳାରେ ସାମିଲ୍ ହୋଇ ନିଜର ନାଟକର ସ୍ୱପ୍ନକୁ ସୋପାନ ଦେଇଥିଲେ । ନାଟକ ଧଡି ରାମାୟଣ, ହାତୀ ଓ ଲଣ୍ଠନ , ପ୍ରତିମୂର୍ତ୍ତୀ ଏବଂ ୱେବ ସିରିଜ୍ “ ସାକ୍ଷୀଦେଶ୍ ” ରେ ତାଙ୍କ ଅଭିନୟର ଛିଟା ବାରି ହୋଇପଡେ।

ନାଟକରେ ଅଭିନୟ କରିବା ସହିତ ଅଳ୍ପ କିଛି ଗୀତ ଏବଂ କଳାତ୍ମକ ସିନେମାରେ ସେ ସହଯୋଗୀ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସଂପ୍ରତି ସେ ଭୁବନେଶ୍ୱରର ଏକ ମିଡିଆହାଉସରେ କାର୍ଯ୍ୟ କରୁଥିବା ବେଳେ ପ୍ରଥମଥର କରି “୧୯ – ଅଣସର ” ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ଅଛନ୍ତି ।  ମହାମାରୀ କରୋନାର ଏହି ଘଡିସନ୍ଧି ମୁହୂର୍ତ୍ତରେ ଜଣେ କରୋନା ଆକ୍ରାନ୍ତକୁ ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ ସର୍ବୋପରି ପରିବାର ଲୋକେ କେମିତି ମାନସିକ ସ୍ତରରେ ସହଯୋଗ କରି ମନକୁ ସୁସ୍ଥ ରଖି ପାରିବେ ସେହି ବାର୍ତ୍ତା ନେଇ ଅନ୍ତର୍ଯ୍ୟାମୀ ନିର୍ମାଣ କରିଛନ୍ତି ତାଙ୍କର ଏହି କ୍ଷୁଦ୍ର ଚଳଚ୍ଚିତ୍ର “୧୯-ଅଣସର” । ବର୍ତ୍ତମାନର ସମୟ ବଡ ଜଟିଳ, ଏହି ସମୟକୁ ସାଥି ହୋଇ ପାର୍ କରିଦେବାର ଆଶା ନେଇ ସେ ତାଙ୍କର କିଛି ବନ୍ଧୁମାନଙ୍କ ସହ ମିଶି ନିର୍ମାଣ କରିଛନ୍ତି ଏହି ଚଳଚ୍ଚିତ୍ର ।

ପ୍ରଥମଥର କରି ଏହି ଚଳଚ୍ଚିତ୍ରଟିରେ କାହାଣୀ ଲେଖିବା ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପ୍ରିୟମ୍ବଦା ରାଉତ । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିରେ ଦେବଦତ ପତି, ବିଶ୍ୱରେଖା ଜଗଦେବ, ଅଂଶୁମାନ ସେନାପତିଙ୍କ ସମେତ ଅନ୍ତର୍ଯ୍ୟାମୀ ମିଶ୍ର ଅଭିନୟ କରିବା ସହ ଏକା ସଙ୍ଗେ ସଂଳାପ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି । ସେ ଆଶା କରିଛନ୍ତି, ତାଙ୍କର ଏହି କ୍ଷୁଦ୍ର ଚଳଚ୍ଚିତ୍ର ଦର୍ଶକମାନଙ୍କୁ ପସନ୍ଦ ଆସିବା ସହ ସଚେତନ କରିବାରେ ମଧ୍ୟ ଭୂମିକା ବହନ କରିବ।

You might also like