ଅନ୍‌ଲାଇନ୍‌ରେ UPSC ଓ OPSC ନିଯୁକ୍ତି ପରୀକ୍ଷା ଲାଗି ବ୍ଲୁପ୍ରିଣ୍ଟ୍

ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ଲାଗି ଖୁସି ଖବର। ଏଣିକି ଅନ୍‌ଲାଇନ୍‌ରେ ହେବ UPSC ଓ OPSC ପରୀକ୍ଷା। ଫର୍ମ ପୂରଣ ଠାରୁ ପରୀକ୍ଷା ଫଳ, ଅନ୍‌ଲାଇନ୍‌ରେ ହେବ ସବୁ କାମ।

ଭୁବନେଶ୍ୱରରେ ଅନୁଷ୍ଠିତ UPSC ଓ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏନେଇ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହୋଇଛି। ଚାକିରୀ ଆଶାୟୀ ପରୀକ୍ଷା ବେଳେ ଯେଭଳି ମାନସିକ ସ୍ତରରେ ହଇରାଣ ନହେବେ ସେଥିଲାଗି ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛି କେନ୍ଦ୍ରୀୟ ଲୋକସେବା ଆୟୋଗ-UPSC ।

ଓଡ଼ିଶା ଲୋକସେବା ଆୟୋଗ-OPSC ମଧ୍ୟ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ପରିବର୍ତ୍ତନ କରିବା ସହ ଅନ୍‌ଲାଇନ୍‌ରେ ପରୀକ୍ଷା କରିବ। ପରୀକ୍ଷାର୍ଥୀଙ୍କର କୌଣସି ସନ୍ଦେହ ହେଲେ ଉତ୍ତର ଖାତା ଦେଖି ପାରିବେ। ଏହାଦ୍ୱାରା ପରୀକ୍ଷା ପରିଚାଳନା ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ବୋଲି OPSC ଅଧ୍ୟକ୍ଷ କହିଛନ୍ତି।

UPSC ଓ OPSC ପକ୍ଷରୁ ପ୍ରସ୍ତୁତ ସଂସ୍କାର ଯୋଜନାକୁ ଚାକିରୀ ଆଶାୟୀ ସ୍ୱାଗତ କରିଛନ୍ତି। ତେବେ ଅନେକ ସମୟରେ UPSC  ଓ OPSC ପରୀକ୍ଷା ଗୋଟିଏ ଦିନରେ ହେଉଥିବାରୁ ପରୀକ୍ଷାର୍ଥୀ ଅଡୁଆରେ ପଡୁଛନ୍ତି। ଏଭଳି ସ୍ଥିତି ଏଡ଼ାଇବାକୁ  ଆୟୋଗ ଧ୍ୟାନ ଦେଉ ବୋଲି ପରୀକ୍ଷାର୍ଥୀ ଦାବି କରିଛନ୍ତି।

ଚାକିରୀ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି, ପରୀକ୍ଷା ସମୟରେ ବିଭିନ୍ନ ଅସାଧୁ ଉପାୟ ଅନୁସରଣ ଓ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତେବେ ଅନ୍‌ଲାଇନ୍‌ରେ ସମସ୍ତ ପ୍ରକ୍ରିୟା କରାଯିବା ଦ୍ୱାରା ମେଧାବୀ ପରୀକ୍ଷାର୍ଥୀ ଉପକୃତ ହେବେ।

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟପାଳ ଗଣେଶୀ ଲାଲ୍‌ ଯୋଗ ଦେଇଥିଲେ।

You might also like