ଏ ବର୍ଷ ବି ଫାଙ୍କା ପଡ଼ିବ ହଜାର ହଜାର ଇଞ୍ଜିନିୟରିଂ ସିଟ୍
ଭୁବନେଶ୍ୱର: ଏ ବର୍ଷ ବି ଫାଙ୍କା ପଡ଼ିବ ହଜାର ହଜାର ଇଞ୍ଜିନିୟରିଂ ସିଟ୍। ରାଜ୍ୟରେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ବି.ଟେକ୍ ରେଜିଷ୍ଟ୍ରେସନ୍ ସଂଖ୍ୟା ଏହା କହୁଛି। ଚଳିତ ବର୍ଷ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ୧୨ ହଜାର ୩୧୯ ଜଣ ରେଜିଷ୍ଟ୍ରେସନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ହଜାର ୩୬୫ ଛାତ୍ରଛାତ୍ରୀ ଫି ଡିପୋଜିଟ୍ କରିଛନ୍ତି। ଏଆଇସିଟିଇ ଛାଟ ପରେ ଚଳିତ ବର୍ଷ ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜରେ ପ୍ରାୟ ୭ ହଜାର ସିଟ୍ କମିଛି। ବର୍ତ୍ତମାନ ୮୦ଟି ବେସରକାରୀ ଓ ୮ଟି ସରକାରୀ ଇଞ୍ଜିନିୟରିଂ କଲେଜ୍ରେ ମୋଟ୍ ସିଟ୍ ରହିଛି ୩୮ ହଜାର ୨୧୭।
ତେବେ ସରକାରୀ ଇଞ୍ଜିନିୟରିଂ କଲେଜରେ ଥିବା ୪ ହଜାର ୮୬ ସିଟ୍ ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ରହିବ। ଖାଲି ପଡୁଥିବା ସିଟ୍ ପୂରଣ ପାଇଁ ସ୍ପେଶାଲ ଓଜେଇଇକୁ ପ୍ରତିବର୍ଷ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଚଳିତ ବର୍ଷ ଇଞ୍ଜିନିୟରିଂ ଆଡମିଶନ୍ ସଂଖ୍ୟା ବଢ଼ିବ ବୋଲି ଓଜେଇଇ ଏବଂ ଓପେକା ମତ ରଖିଛି।
ଗତବର୍ଷ ରାଜ୍ୟରେ ୬୫ ପ୍ରତିଶତ ଇଞ୍ଜିନିୟରିଂ କଲେଜ ସିଟ୍ ଖାଲି ପଡିଥିଲା। ମୋଟ୍ ୪୪ ହଜାର ୭୩୯ ସିଟ୍ ମଧ୍ୟରୁ ଦ୍ୱିତୀୟ ଓଜେଇଇ ପରେ ବି ମାତ୍ର ୧୪ହଜାର ୨୯୩ ସିଟ୍ ପୂରଣ ହୋଇଥିଲା। ଖାଲି ପଡ଼ିଥିଲା ୩୦ ହଜାରରୁ ଅଧିକ ସିଟ୍। ଏଥର ବି ଏ ଆଶଙ୍କା ଏଡ଼ାଯାଇ ନପାରେ। ଏକ୍ସପର୍ଟଙ୍କ ମତରେ ଶିଳ୍ପ ଓ ଅନ୍ତର୍ଜାତୀୟ ଆଇଟି କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ନିଯୁକ୍ତି ସୁଯୋଗ କମୁଛି । ଫଳରେ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ରୁଚି ରଖୁନାହାନ୍ତି।
ଫାଙ୍କା ପଡୁଥିବା ଇଞ୍ଜିନିୟରିଂ ସିଟ୍ ପୂରଣ ପାଇଁ ରାଜ୍ୟ ସରକାର ଜୁଲାଇ ୨୨ରେ ସ୍ପେଶାଲ ଓଜେଇଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାହାର ରାଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ସିଟ୍ ସଂରକ୍ଷଣ ବି କରାଯାଇଛି। ତେବେ ଏସବୁ ପଦକ୍ଷେପ ସିଟ୍ ପୂରଣ ଦିଗରେ କିପରି ସହାୟକ ହେଉଛି ତା’ ଉପରେ ନଜର।