ଆଜି ସ୍ପେଶାଲ୍ OJEE: ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ
ଭୁବନେଶ୍ୱର: ସ୍ପେଶାଲ୍ ଓଜେଇଇ (ଓଡ଼ିଶା ଜଏଣ୍ଟ୍ ଏଣ୍ଟ୍ରାନ୍ସ ଏକଜାମିନେସନ୍ ) ଆଜି ଅନୁଷ୍ଠିତ ହୋଇଛି। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।
ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ବି.ଟେକ୍, ବି.ଫାର୍ମ, ଏମ୍ସିଏ ଓ ଏମ୍ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ।
ଏହି ସବୁ ପାଠ୍ୟକ୍ରମ ଲାଗି ଆଜି ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ ସାଢ଼େ ୯ରୁ ସାଢ଼େ ୧୦ଟା ଯାଏ ପ୍ରଥମ ସିଟିଂ ଓ ଦିନ ୧୨ଟାରୁ ଗୋଟାଏ ଯାଏ ଦ୍ୱିତୀୟ ସିଟିଂରେ ପରୀକ୍ଷା ହୋଇଥିଲା।
ପ୍ରଥମ ଓଜେଇଇ ପରେ ଖାଲି ପଡୁଥିବା ଇଞ୍ଜିନିୟରିଂ ତଥା ପ୍ରଫେସନାଲ୍ କୋର୍ସରେ ଖାଲି ପଡୁଥିବା ସିଟ୍ ପୂରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ୍ ଓଜେଇଇ କରାଯାଇଛି।