୨ ବର୍ଷ ମଧ୍ୟରେ ୨.୩ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ରେଲୱେ

ନୂଆଦିଲ୍ଲୀ: ରେଲୱେ ଚାକିରି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କାହିଁକି ନା ଭାରତୀୟ ରେଳବାଇ ପୁଣି ଥରେ ମେଗା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି।

ଏହି ମେଗା ନିଯୁକ୍ତି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ। ଯେଉଁଥିରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପାଖାପାଖି୨.୩ ଲକ୍ଷ ଲୋକଙ୍କୁ ରେଲୱେ ନିଯୁକ୍ତି ଦେବ। ଏଥିସହ ଏଥିରେ ଆର୍ଥିକ ଅନଗ୍ରସର ବର୍ଗ (EWS) ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ବୁଧବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି।

ଗୋୟଲ କହିଛନ୍ତି, “ଦୁଇବର୍ଷ ମଧ୍ୟରେ ମୋଟ ୪ ଲକ୍ଷ ନିଯୁକ୍ତି ଦେବାକୁ ରେଲୱେ ଯୋଜନା କରିଛି। ରେଲୱେରେ ବର୍ତ୍ତମାନ ୧୨ ଲକ୍ଷ ଲୋକ ଚାକିରି କରୁଛନ୍ତି। ପ୍ରତିବର୍ଷ ୪୦ରୁ ୫୦ ହଜାର ଲୋକ ଅବସର ନେଉଛନ୍ତି। ତେଣୁ ଆଗୁଆ ଯୋଜନା କରାଯାଉଛି। ଫଳରେ କୌଣସି ପଦ ଆଉ ଖାଲି ପଡ଼ିବ ନାହିଁ।”

ରେଲୱେ ବୋର୍ଡ ଚେୟାରମ୍ୟାନ ଭି କେ ଯାଦବ କହିଛନ୍ତି, “ପୂର୍ବରୁ ବାହାରିଥିବା ୧.୫ ଲକ୍ଷ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏହା ମାର୍ଚ୍ଚ-ଏପ୍ରିଲ୍‌ ମଧ୍ୟରେ ଶେଷ ହୋଇଯିବ।”

ରେଳ ବିଭାଗ ପକ୍ଷରୁ କୁହାଯାଇଛି, ପ୍ରଥମ ପର୍ଯ୍ୟାୟରେ ୧.୩୧ ଲକ୍ଷ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଫେବୃଆରୀ-ମାର୍ଚ୍ଚରୁ ଆରମ୍ଭ ହୋଇ ୨୦୨୦ ଏପ୍ରିଲ୍‌-ମେ’ରେ ଶେଷ ହେବ।

You might also like