ମାଟ୍ରିକ୍ ଭଳି ଯୁକ୍ତ ଦୁଇ ବିଜ୍ଞାନରେ ବି କମିଲା ପାସ୍ ହାର

ଭୁବନେଶ୍ୱର : ସରକାର ଓ ଶିକ୍ଷକଙ୍କ ମଧ୍ୟରେ ବାଦବିବାଦ ଭିତରେ ଶେଷରେ ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବା ସହ ଫଳ ଘୋଷଣା କରିଥିଲେ।

ଉଦ୍‌ବେଗର ବିଷୟ ହେଲା, ଗତବର୍ଷ ତୁଳନାରେ ଏଥର ପାସ୍ ହାର ୪.୧୩ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ୮୧ .୧୧ ପ୍ରତିଶତ ପିଲା ପାସ୍ କରିଥିବାବେଳେ ଏଥର ପାସ୍ ହାର ରହିଛି ୭୬. ୯୮ ପ୍ରତିଶତ। ଏବର୍ଷ ମୋଟ୍ ୯୫ ହଜାର ୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୩ ହଜାର ୨୧୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପ୍ରଶ୍ନ ଉଠୁଛି କାହିଁକି କମିଲା ପାସ୍ ହାର ? ଏଥିପାଇଁ ଦାୟୀ କିଏ ? ମୂଲ୍ୟାୟନ ସମୟରେ ଶିକ୍ଷକ ଆନ୍ଦୋଳନକୁ ନେଇ ଦେଖାଦେଇଥିବା ବିଭ୍ରାଟ ନା କଲେଜଗୁଡ଼ିକରେ ଭିତ୍ତିଭୂମିର ଅଭାବ ? ବଡ଼କଥା ହେଲା ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ହୋଇଥିଲେ ବି ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୪୧।

ସେପଟେ ଏକ୍‌ଜାମ କମିଟିର ବିନା ଅନୁମୋଦନରେ ଫଳ ପ୍ରକାଶ କରାଯାଇଥିବା କମିଟି ସଦସ୍ୟ ଭୂଜବଳ ମାଝୀ ଅଭିଯୋଗ କରିଛନ୍ତି। ପ୍ରକୃତ ପାସହାର୍ ୫୦ ପ୍ରତିଶତ ଥିବା ବେଳେ ଗ୍ରେସ୍ ମାର୍କ ଦିଆଯାଇ ଏହାକୁ ବଢ଼ାଯାଇଛି ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଚଳିତ ଥର ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ମୋଟ୍ ୧୯ ହଜାର ୫୬୧ ଛାତ୍ରଛାତ୍ରୀ। ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୧୬୪ ଓ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୨୮ ହଜାର ୯୬୮ଜଣ ଛାତ୍ରଛାତ୍ରୀ। ୯୨.୨୩ ପ୍ରତିଶତ ପାସ୍‌ହାର ସହ ନୟାଗଡ଼ ଜିଲ୍ଲା ସବୁଠୁ ଆଗରେ ଥିବା ବେଳେ ସବୁଠୁ ପଛରେ ରହିଛି ଗଜପତି। ଏହି ଜିଲ୍ଲାରେ ପାସ୍ ହାର ୪୩. ୪୩ ପ୍ରତିଶତ ରହିଛି। ତେବେ ଏଥର କୌଣସି କଲେଜରେ ବି ନିଲ୍ ରେଜଲଟ୍ ହୋଇନାହିଁ।

ଆଜି ପ୍ରକାଶିତ ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନେ ଆଜିଠୁ ଜୁନ୍ ୪ ତାରିଖ ଭିତରେ ରିଚେକିଂ ପାଇଁ ଆବେଦନ କରିପାରିବେ।

You might also like
Comments
Loading...