ଆସନ୍ତାକାଲି ଓଜେଇଇ

ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ ଓଜେଇଇ। ରାଜ୍ୟର ପ୍ରମୁଖ ସହରର ୮୧ଟି କେନ୍ଦ୍ରରେ ହେବ ଏହି ପରୀକ୍ଷା। ରାଜ୍ୟର ୪୮ ହଜାର ୩୧୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ।

ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ଆସନ୍ତାକାଲି ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। OJEE ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି, ଲାଟେରାଲ୍ ଏଣ୍ଟ୍ରି ଇଂଜିନିୟରିଂ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ରିପୋଟିଂ କରିବେ। ଆଡମିଟ୍ କାର୍ଡ, ପେନ ବ୍ୟତୀତ ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ନେବା ଉପରେ ବାରଣ ରହିଛି। ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।