CBSE ପ୍ରଶ୍ନପତ୍ର ଲିକ୍ ଘଟଣା : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର : CBSE ବିରୋଧରେ ଆନ୍ଦୋଳନ ଓ ଅସନ୍ତୋଷ ତେଜିବାରେ ଲାଗିଛି। ଭୁବନେଶ୍ୱରରେ ସିବିଏସ୍ଇ ଅଫିସ୍ ଘେରାଉ ହୋଇଛି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ କରିବା ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ଇସ୍ତଫା ଦାବି କରାଯାଇଛି।

ଭୁବନେଶ୍ୱର ସ୍ଥିତ ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଓଡ଼ିଶା ଅଭିଭାବକ ମହାସଂଘ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି। କେବଳ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ଥାନରେ ଅର୍ଥାତ୍ ଦିଲ୍ଲୀରେ ପୁଣି ପରୀକ୍ଷା କରାଯାଉ ଏବଂ ଅନ୍ୟ ସ୍ଥାନରେ ଦ୍ୱିତୀୟ ଥର ପରୀକ୍ଷା ନହେଉ ବୋଲି ସଂଘ ଦାବି କରିଛି।

ସେପଟେ ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍। ବର୍ତ୍ତମାନ ସୁଦ୍ଧା ପୋଲିସ ୨୫ ଜଣଙ୍କୁ ପଚରାଉଚରା କରିସାରିଛି। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଏପରି ଅଛନ୍ତି ଯେଉଁମାନଙ୍କ ନିକଟରେ ହାତଲେଖା ପ୍ରଶ୍ନପତ୍ର ଥିଲା।

ଦିଲ୍ଲୀ ପୋଲିସ୍ ସନ୍ଦେହରେ ଜଣଙ୍କୁ ଅଟକ ରଖିଛି।  ଅଟକ ବ୍ୟକ୍ତି ଦିଲ୍ଲୀର ଏବଂ ସେ ଜଣେ କୋଚିଂ ସେଣ୍ଟରର ମାଲିକ ବୋଲି ସୂଚନା ମିଳିଛି।  ପ୍ରଶ୍ନପତ୍ର କେଉଁଠୁ ଲିକ୍ ହୋଇଛି ଓ ହ୍ୱାଟସଆପ୍ ମାଧ୍ୟମରେ ଏହା ଲୋକଙ୍କ ନିକଟକୁ କିପରି ପହଞ୍ଚିଲା ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ। ସେପଟେ ସପ୍ତାହେ ଭିତରେ ନୂଆ ପରୀକ୍ଷା ତାରିଖ ଘୋଷଣା କରାଯିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

You might also like