ସିବିଏସ୍ଇ ଦଶମ ଟପ୍ ପୋଜିସନ୍‌ରେ ୪ ଛାତ୍ରଛାତ୍ରୀ

ଭୁବନେଶ୍ୱର  : ଗୁରୁଗ୍ରାମ ଦିଲ୍ଲୀ ପବ୍ଲିକ୍ ସ୍କୁଲର ପ୍ରଖର ମିତ୍ତଲ, ବିଜ୍‌ନୋର ଆର୍.କେ ପବ୍ଲିକ୍ ସ୍କୁଲର ରିମ୍‌ଝିମ୍‌ ଅଗ୍ରଓ୍ୱାଲ, ଶ୍ୟାମଲି ସ୍କଟିସ୍ ଇଣ୍ଟରନ୍ୟାସନାଲ ସ୍କୁଲର ନନ୍ଦିନୀ ଗର୍ଗ ଓ  କୋଚିନ୍, ଭାବନ୍ ବିଦ୍ୟାଳୟର ଶ୍ରୀଲକ୍ଷ୍ମୀ ଜି. ,ଏମାନେ ହେଉଛନ୍ତି ଚଳିତ ବର୍ଷର ସିବିଏସଇ ଦଶମ ଟପ୍ପର। ୫ଶହରୁ ୪୯୯ ଲେଖାଏଁ ନମ୍ବର ରଖି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଏହି ୪ ଛାତ୍ରଛାତ୍ରୀ। ଏଥର ମୋଟ୍ ୧୬ ଲକ୍ଷ ୩୮ ହଜାର ୪୨୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୮୬. ୭ ପ୍ରତିଶତ ପାସ୍ କରିଛନ୍ତି।

ଭୁବନେଶ୍ୱର ରିଜିୟନରେ ମୋଟ୍ ୭୭ ହଜାର ୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୬୮ ହଜାର ୮୨୮ ଜଣ ଅର୍ଥାତ୍ ୮୯.୨୭ପ୍ରତିଶତ ପାସ୍ କରିଛନ୍ତି। ଝିଅଙ୍କ ପାସ୍‌ହାର ୯୧.୩୬ ପ୍ରତିଶତ ରହିଥିବା ବେଳେ ୮୭. ୭୭ ପ୍ରତିଶତ ପୁଅ ପାସ୍ କରିଛନ୍ତି।

ଏଥର ବି ପୁଅଙ୍କ ତୁଳନାରେ ଝିଅ ଭଲ କରିଛନ୍ତି। ଝିଅଙ୍କ ପାସ୍‌ହାର ପୁଅଙ୍କ ଠାରୁ ୩. ୩୫ ପ୍ରତିଶତ ଅଧିକ ରହିଛି। ସେହିପରି ୧ଲକ୍ଷ ୩୧ ହଜାର ୪୯୩ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରେ ନମ୍ବର ରଖିଥିବା ବେଳେ ୨୭ ହଜାର ୪୭୬ ଜଣଙ୍କ ମାର୍କ ୯୫ ପ୍ରତିଶତ ଉପରେ ରହିଛି। ୯୯.୬ ପ୍ରତିଶତ ପାସ୍‌ହାର ସହ ତ୍ରିଭେନ୍ଦ୍ରମ ରିଜିଅନ୍ ସବୁଠୁ ଆଗରେ ରହିଛି। ୯୭.୩୭ ପ୍ରତିଶତ ପାସ୍‌ହାର ସହ ଚେନ୍ନାଇ ରିଜିଅନ୍ ଦ୍ୱିତୀୟ ଓ ୯୧.୮୬ ପ୍ରତିଶତ ପାସହାର ସହ ତୃତୀୟ ସ୍ଥାନରେ ରହିଛି ଆଜ୍‌ମେର ରିଜିୟନ। ଦିଲ୍ଲୀରେ ପାସ୍‌ହାର ରହିଛି ୮୯.୬୨ ପ୍ରତିଶତ।

You might also like
Comments
Loading...