କରୋନାର ଅନୁସନ୍ଧାନ ପାଇଁ ଚୀନ୍‌ର ଉହାନ୍‌ରେ ପହଞ୍ଚିଲା WHO ଟିମ୍

ଉହାନ: ବିଶ୍ୱକୁ କିପରି ବ୍ୟାପିଲା କରୋନା ? କରୋନା ବ୍ୟାପିବାର କଣ ହୋଇଥାଇପାରେ କାରଣ? ଅନୁସନ୍ଧାନ ପାଇଁ ଚୀନରେ ପହଞ୍ଚିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-WHO ଟିମ୍। ବିଭିନ୍ନ ଦେଶର ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ୧୦ ଜଣିଆ ଟିମ ଭୂତାଣୁର ଉତ୍ସ ଓ ସଂକ୍ରମଣ କେମିତି ବ୍ୟାପିଲା ତାର ଅନୁଧ୍ୟାନ କରିବ। ମହାମାରୀର ଉତ୍ପତ୍ତିିସ୍ଥଳ କୁହାଯାଉଥିବା ଉହାନ୍ ସହରରେ ପହଞ୍ଚିବା ପରେ WHO ଟିମ କ୍ୱାରେଣ୍ଟାଇନ କେନ୍ଦ୍ରକୁ ଯାଇଛନ୍ତି।

ଦୁଇ ସପ୍ତାହ କ୍ୱାରେଣ୍ଟିନ୍‌ରେ ରହିବା ପରେ ନିଜ କାର୍ଯ୍ୟ ଆରମ୍ଭ କରିବେ। ଗତ ସପ୍ତାହରେ WHO ଟିମ୍ ଚୀନ ଯିବାର ଥିଲା। ତେବେ ଟିମ ସଦସ୍ୟଙ୍କ ଭିସା ପ୍ରସ୍ତୁତ ହୋଇନଥିବା ଦର୍ଶାଇ ଚୀନ ଏଥିରେ ବିଳମ୍ବ କରାଇଥିଲା। ଅନ୍ୟପକ୍ଷରେ ଚୀନ୍‌ର ଲାବୋରେଟୋରୀରରୁ ଭୂତାଣୁ ବ୍ୟାପିଥିବା ଅଭିଯୋଗ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ ତଦନ୍ତ କରିବ ନାହିଁ ବୋଲି ସୂଚନା ମିଳିଛି। ଯାହାକୁ ଆମେରିକା ସମେତ ଅନ୍ୟାନ୍ୟ ଦେଶ ସମାଲୋଚନା କରିଛନ୍ତି।

୨୦୧୯ ଡିସେମ୍ବରରେ ୟୁହାନରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଭୂତାଣୁ ପ୍ରକୃତରେ କେଉଁଠାରୁ ବ୍ୟାପିଥିଲା, ତାକୁ ନେଇ ବିବାଦ ରହିଛି। ସେପଟେ କରୋନା ସଂକ୍ରମଣ ରୋକିବାକୁ ଚୀନ କୌଣସି ଦୃଢ଼ ପଦକ୍ଷେପ ନନେବା ଓ ବିଶ୍ୱକୁ ଅନ୍ଧାରରେ ରଖିଥିଲେ WHO ବେଜିଂ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନକରିବା ନେଇ ଆମେରିକା ଖପ୍ପା ହୋଇଥିଲା। ଏଣେ ଭୂତାଣୁ ଚିହ୍ନଟ ହେବାର ୮ ମାସ ପରେ ଗତ ମଙ୍ଗଳବାର ଚୀନରେ ପୁଣି ଜଣେ ରୋଗୀଙ୍କର କରୋନାରେ ମୃତ୍ୟୁ ହୋଇଛି।

ତେବେ ଚୀନର ଉହାନ୍ ଲ୍ୟାବ୍‌କୁ ନେଇ ଏବେ ବଢ଼ୁଛି ସସ୍‌ପେନ୍ସ। ସତରେ କ’ଣ ଏହି ଲ୍ୟାବରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ମାଡ଼ି ଯାଇଛି କରୋନା ? ଏଭଳି ପ୍ରଶ୍ନ ଏବେ ଚୀନ ସମ୍ମୁଖରେ। ଆଉ ଏହାକୁ ସେତେବେଳେ ଅନୁଧ୍ୟାନ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଏନେଇ ସନ୍ଦେହ ଆହୁରି ଘନିଭୂତ ହୋଇଥିଲା। ହେଲେ ଚୀନ ଅଭିଯୋଗକୁ ଖଣ୍ଡନ କରିବା ସହ ଟ୍ରମ୍ପଙ୍କ କଡ଼ା ସମାଲୋଚନା କରିଛି।

କରୋନା ପାଇଁ ସାରା ବିଶ୍ୱରେ ହାହାକାର ପଡ଼ିଯାଇଥିଲା ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ଏପର୍ଯ୍ୟନ୍ତ କରୋନାରେ ଏହି ଦେଶର ପ୍ରାୟ ସର୍ବାଧିକ ଜୀବନ ଯାଇଥିଲା। ଏପରିକି ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା ସୁପରପାଓ୍ୱାର ଆମେରିକାର ଆର୍ଥିକ ଭିତ୍ତିଭୂମି।

ସାରା ବିଶ୍ୱରେ କରୋନା ମାଡ଼ି ଚାଲିଛି, ହେଲେ ଉତ୍ପତ୍ତିସ୍ଥଳ ଉହାନ୍ ଏବଂ ଚୀନ୍‌ରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଯାହା ଚୀନ୍‌ର ଭୂମିକାକୁ ସନ୍ଦେହ ଘେରକୁ ଆଣିଥିବା ବେଳେ ପୂର୍ବରୁ କରୋନା ସଂପର୍କରେ ବିଶ୍ୱ ଓ ଆମେରିକାକୁ ଅନ୍ଧାରରେ ରଖିବା ଅଭିଯୋଗ କରି ଚୀନ୍‌କୁ ନିଶାନା କରି ଆସୁଥିଲା ଆମେରିକା।

You might also like