ଜୀବନକୁ ବାଜି ଲଗାଇ ବିଲ ପାହାଡ଼ ଡେଇଁ, ଆଶା-ସ୍ୱାସ୍ଥ୍ୟକର୍ମୀ କରୁଛନ୍ତି ଟିକାକରଣ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ କେବଳ ଆମ ରାଜ୍ୟରେ ନୁହେଁ, ଅଧିକାଂଶ ସ୍ଥାନରେ ଲୋକେ କୋ-ଓ୍ୱିନ୍‌ରେ ପଞ୍ଜୀକରଣ କରି ଟିକାକରଣ କେନ୍ଦ୍ର ଆଗରେ ଲାଇନ୍ ଲଗାଇ ଭ୍ୟାକ୍ସିନ ନେଉଥିବା ଦେଖିବାକୁ ମିଳୁଛି । ହେଲେ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ ବହୁ ଉପାନ୍ତ ଅଞ୍ଚଳରେ ଲୋକଙ୍କ ପାଖକୁ ଯାଇ ଟିକା ଦିଆଯାଉଛି । ଘାଟିର ବିଭିନ୍ନ ଅପହଞ୍ଚ ଇଲାକାରେ ଟିକା ଦେବାକୁ ଯାଇ ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ଅନେକ ବାଧାବିଘ୍ନର ସାମ୍ନା କରୁଛନ୍ତି ।

ସେମାନେ କେବଳ ବୃତ୍ତିରୁ ଆଶା କର୍ମୀ ନୁହଁନ୍ତି । ସେମାନେ ଘାଟିର ଆଶା । ଅପହଞ୍ଚ ଇଲାକାର ଆଶା । ଯିଏ ଅନ୍ୟର ଜୀବନ ବଞ୍ଚାଇବାକୁ ନିଜ ଜୀବନ ବାଜି ଲଗାଇବାକୁ ପଛାଏ ନାହିଁ । କର୍ତ୍ତବ୍ୟ ଆଗରେ କଷ୍ଟକୁ ଗୁରୁତ୍ୱ ଦିଏ ନାହିଁ । ସେମାନେ ସେମିତି ଆଶା । କେବଳ ଆଶା କର୍ମୀ ନୁହନ୍ତି, ତାଙ୍କ ସହିତ ଅଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ଜନପ୍ରତିନିଧି । ଆମେ କହୁଛୁ ଜାମ୍ମୁ-କାଶ୍ମୀରର କଥା । ପୀରପଞ୍ଜାଲ ପର୍ବତଶୃଙ୍ଖଳର ଦୁର୍ଗମ ଓ ଅପହଞ୍ଚ ଗାଁ ଗୁଡ଼ିକରେ ପହଞ୍ଚି ଲୋକଙ୍କୁ କରୋନା ଟିକା ଦେବା ପାଇଁ, ଦୁଃସାଧ୍ୟ କାମକୁ ବିନା ଡର ଭୟରେ ଆଗେଇ ନେଇଛନ୍ତି ।

ଏମିତି ଅପହଞ୍ଚ ଇଲାକାର ପ୍ରାୟ ୪୫ଟି ପଞ୍ଚାୟତର ଲୋକଙ୍କୁ କରୋନା ଟିକା ଦେବାକୁ ୭୦ଟି ଟିମ୍ ପ୍ରତିଦିନ ଏଭଳି ଦୁଃସାହସିକ ଯାତ୍ରା କରନ୍ତି । ଘାଟିର ଅନେକ ଗାଁ ଦୂରଦୂରାନ୍ତରେ ଥିବାରୁ ସେଠାକୁ ପାହାଡ଼ିଆ ରାସ୍ତାରେ ପାଦରେ ଚାଲିଚାଲି ଯିବାକୁ ପଡ଼େ । ତେବେ ସବୁଠୁ ବଡ଼ ସମସ୍ୟା ଆଣେ ପାହାଡ଼ିଆ ନଈ । ଅଧିକାଂଶ ସ୍ଥାନରେ ପୋଲ ନାହିଁ । କାନ୍ଧରେ ଟିକା ବାକ୍ସ ଝୁଲାଇ ନଈର ପ୍ରଖର ସୁଅକୁ ପାରିହେବା କିଛି ସହଜ କଥା ନୁହେଁ । ହେଲେ ଏମାନଙ୍କ ପାଇଁ ସତେକି କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ । ବରଫାବୃତ ପର୍ବତରୁ ଝରିଆସୁଥିବା ଭୀଷଣ ଥଣ୍ଡା ପାଣିରେ ପଶି, ପ୍ରଖର ସୁଅକୁ କାଟି ଏମାନେ ଲୋକଙ୍କୁ ଟିକା ଦେବାକୁ ଯାଇଥାନ୍ତି । ସ୍ଥାନୀୟ ଲୋକମାନେ ମଧ୍ୟ ଆଶାକର୍ମୀମାନଙ୍କୁ ଏଥିପାଇଁ ସାହାଯ୍ୟ ସହଯୋଗ କରନ୍ତି । ନଈରେ ଜଳସ୍ତର ଅଧିକ ଥିଲେ ସେମାନଙ୍କୁ ଘୋଡ଼ା ଚଢ଼ି ପାରିହେବାକୁ ମଧ୍ୟ ପଡ଼ିଥାଏ ।

ସଫଳ ହୋଇଛି ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରିଶ୍ରମ । କରୋନା ଟିକାକରଣରେ ଜାମ୍ମୁ ଓ କାଶ୍ମୀରର ଏକ ଗାଁକୁ ମିଳିଛି ବଡ଼ ସଫଳତା । ଦେଶର ପ୍ରଥମ ଗାଁ ଭାବେ ବନ୍ଦିପୋରା ଜିଲ୍ଲାର ଓ୍ୱିୟାନ୍ ଗାଁରେ ସମ୍ଭବ ହୋଇଛି ଶତପ୍ରତିଶତ ଟିକାକରଣ । ଏହି ଗାଁର ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ଯୁବକ, ବୃଦ୍ଧ ଟିକା ନେଇସାରିଛନ୍ତି ।

ତେବେ ଖାଲି ଘରକୁ ଘର ନୁହେଁ, ବିଲବାଡ଼ି, କ୍ଷେତ ଜମି, ପାହାଡ଼ ପର୍ବତ ସବୁଠି ବୁଲି ଲୋକଙ୍କ ପାଖକୁ ଯାଇ କରୋନା ଟିକା ଦିଆଯାଇଥିଲା । ଫଳ ସ୍ୱରୂପ ଶ୍ରୀନଗରଠୁ ୮୬ କିଲୋମିଟର ଦୂର ଏହି ଗାଁର ସମସ୍ତ ୩୬୨ ଜଣ ପ୍ରାପ୍ତ ବୟସ୍କ ଟିକା ନେଇସାରିଛନ୍ତି । ସୋମବାର ସୁଦ୍ଧା, ଜାମ୍ମୁ ଓ କାଶ୍ମୀରର ୭୩ ପ୍ରତିଶତ ୪୫ ବର୍ଷରୁ ଅଧିକ ବୟସ୍କ ଏବଂ ୧ଲକ୍ଷ ୮୦ ହଜାରରୁ ଅଧିକ ୧୮ରୁ ୪୪ ବର୍ଷ ବୟସ୍କ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି ।

You might also like