ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ମିଳିବ ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ କରୋନା ଟିକା ଦେବା ସ୍ଥିତିରେ ଥିବ ଭାରତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ସମୀକ୍ଷା ବେଳେ ସେ ଏହା କହିଛନ୍ତି ।

ଡାକ୍ତର ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ଦେଶରେ ଜାନୁଆରୀ ୧୬ରେ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୮ କୋଟି ୫୮ ଲକ୍ଷ ୯ ହଜାର ୩୦୨ ଡୋଜ୍ ଟିକା ଲୋକଙ୍କୁ ଦିଆସରିଛି । ଏବେବି ରାଜ୍ୟ ମାନଙ୍କ ପାଖରେ ୧ କୋଟି ୬୮ ଲକ୍ଷ ୨୨ ହଜାର ୨୪୫ ଡୋଜ୍ ଟିକା ଗଚ୍ଛିତ ଅଛି । ଏବେ ଦେଶର ପ୍ରାୟ ୬ଟି କଂପାନୀ ଆଗକୁ କରୋନା ଟିକା ଉତ୍ପାଦନ କରିବା ଆଶାରେ ଅଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି ।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଡୋଜ୍ ଏବଂ ଜାନୁଆରୀ ୧୬ରୁ ଜୁଲାଇ ୩୧ ମଧ୍ୟରେ ୫୧ କୋଟି ଡୋଜ୍ ଟିକା କିଣା ସରିଥିବ । ତେଣୁ ବର୍ଷ ଶେଷ ବେଳକୁ ଆମେ ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେବା ସ୍ଥିତିରେ ଥିବୁ । ଆସନ୍ତା ବର୍ଷ ଏହି ଉତ୍ପାଦନ ଆହୁରି ବଢ଼ିବ ବୋଲି କହିଛନ୍ତି ହର୍ଷବଦ୍ଧନ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ପୂର୍ବରୁ ଆଶ୍ୱସନା ଦେଇଛନ୍ତି । ସେ କହିଛନ୍ତି ଆସନ୍ତା ଜୁନ୍ ୧୫ ସୁଦ୍ଧା ରାଜ୍ୟଗୁଡିକୁ ମିଳିବ ୫ କୋଟି ୮୬ ଲକ୍ଷ ୨୯ ହଜାର ଡୋଜ୍ କରୋନା ଟିକା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସବୁ ଟିକା ମାଗଣାରେ ଯୋଗାଇ ଦିଆଯିବ । ଟିକା ଉତ୍ପାଦନକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟମାନଙ୍କ ସିଧାସଳଖ କ୍ରୟ ପାଇଁ ଜୁନ ଶେଷ ସୁଦ୍ଧା ୪ କୋଟି ୮୭ ଲକ୍ଷ ୫୫ ହଜାର ଡୋଜ୍ ଟିକା ଉପଲବ୍ଧ ହେବ ।

ସେହିପରି ଦେଶରେ ସୁରୁଖୁରୁରେ ଟିକାକରଣକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକୁ ବିଭିନ୍ନ ପରାମର୍ଶ ଦିଆଯାଇଛି । କୋଭିଡ୍ ଟିକା ଦେବା ପାଇଁ ଜିଲ୍ଲା ସ୍ତରୀୟ କୋଭିଡ୍ ଟିକାକରଣ କେନ୍ଦ୍ରର ଯୋଜନା ପ୍ରସ୍ତୁତ କରାଯିବ । ଲୋକଙ୍କ ମଧ୍ୟରେ ସଚେଚତନା ସୃଷ୍ଟି କରିବା ପାଇଁ ଏଭଳି ଯୋଜନା ବିଷୟରେ ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଚାର କରିବା ଆବଶ୍ୟକ । ଉଭୟ ସରକାରୀ ଏବଂ ଘରୋଇ ଟିକାକରଣ କେନ୍ଦ୍ର, କୋଓ୍ୱିନ୍ ଡିଜିଟାଲ୍ ପ୍ଲାଟଫର୍ମରେ ଆଗୁଆ ନିଜର ଟିକାକରଣ ସୂଚୀ ପ୍ରକାଶ କରିବେ । ଟିକାକରଣ କେନ୍ଦ୍ରରେ ଯେଭଳି ଅଧିକ ଭିଡ ନ ହେବେ ଏବଂ କୋଓ୍ୱିନରେ ବୁକିଂ ପ୍ରକ୍ରିୟାରେ ଯେଭଳି କୌଣସି ଅସୁବିଧା ନ ହେବ ତାହା ନିଶ୍ଚିତ କରିବେ ।

You might also like