ମହାରାଷ୍ଟ୍ର ବ୍ୟତୀତ ଦେଶର ଏହି ୩ ରାଜ୍ୟ ହୋଇପାରେ କରୋନା ହଟ୍‌ସ୍ପଟ୍‌: ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁ ଭିତରେ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ମହାରାଷ୍ଟ୍ର ବ୍ୟତୀତ ଦେଶର ଆଉ ୩ ରାଜ୍ୟ କରୋନା ହଟ୍‌ସ୍ପଟ୍‌ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ୩ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା କରୋନା ହଟ୍‌ସ୍ପଟ୍‌ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଜାତୀୟ ଗଣମାଧ୍ୟମ Hindustan Times କରିଥିବା ଏକ ସମୀକ୍ଷା(ଆନାଲିସିସ୍)‌ ଅନୁସାରେ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ  ଅନ୍ୟ ୩ ରାଜ୍ୟ-ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶରେ କରୋନା କେସ୍‌ ବୃଦ୍ଧି ସହ ପଜିଟିଭ୍‌ ରେଟ୍‌ସ୍‌ ବଢୁଛି। ତେଣୁ ଏହି ୩ ରାଜ୍ୟ କରୋନା ହଟ୍‌ସ୍ପଟ୍‌ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଦେଶର ନୂଆ ହଟ୍‌ସ୍ପଟ୍‌ ଜାଣିବା ପାଇଁ ୨୦ରୁ ଅଧିକ ଜନବହୁଳ ଅଞ୍ଚଳର ଡାଟା ନିଆଯାଇଥିଲା।  ବଢ଼ୁଥିବା ପଜିଟିଭ୍‌ ରେଟ୍‌, ଦୈନିକ ଚିହ୍ନଟ ହେଉଥିବା ନୂଆ ରୋଗୀଙ୍କ ହାରକୁ ନେଇ ସମୀକ୍ଷା କରାଯାଇଥିଲା।

ଏହି ୩ ରାଜ୍ୟ ମଧ୍ୟରୁ ପଞ୍ଜାବକୁ ନେଇ ଚିନ୍ତା ବେଶୀ ବଢ଼ିଛି। ଗତ ୩୦ ଦିନ ମଧ୍ୟରେ ପଞ୍ଜାବରେ ପ୍ରତିଦିନ ରେକର୍ଡ କରାଯାଉଥିବା କରୋନା କେସ୍‌ରେ ବୃଦ୍ଧି ଘଟିଛି। ଏହାସହ ସପ୍ତାହିକ ହାରାହାରି ପଜିଟିଭିଟି ରେଟ୍‌ ୪.୭% ପଏଣ୍ଟ ବୃଦ୍ଧି ପାଇଛି। ମହାରାଷ୍ଟ୍ର ପରେ ପଞ୍ଜାବ ହେଉଛି ଦ୍ୱିତୀୟ, ଯେଉଁଠି  ପଜିଟିଭିଟି ରେଟ୍‌ ବୃଦ୍ଧି ପାଉଛି। ପଞ୍ଜାବ ଓ ମହାରାଷ୍ଟ୍ର ପରେ ହରିୟାଣାରେ କରୋନା କେସ୍‌ ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି।

ହରିୟାଣାରେ ଗତ ୩୦ ଦିନରେ ୩୯୮% କରୋନା କେସ୍‌ ବଢ଼ିଛି। ଏହାସହ ସପ୍ତାହିକ ପଜିଟିଭିଟି ରେଟ୍‌ ୨.୨% ପଏଣ୍ଟ ବୃଦ୍ଧି ପାଇଛି। ସେହିପରି ମଧ୍ୟପ୍ରଦେଶରେ ପ୍ରତିଦିନ ରେକର୍ଡ କରାଯାଉଥିବା କରୋନା କେସ୍‌ ରେଟ୍‌ ବୃଦ୍ଧି ପାଇଥିବା ବେଳେ ହାରାହାରି ପଜିଟିଭ୍‌ ରେଟ୍‌ ୩.୩% ପଏଣ୍ଟ ବୃଦ୍ଧି ପାଇଛି।

ଦେଶରେ ଦୈନିକ ସଂକ୍ରମଣ ୪୦ ହଜାର ପାର୍‌ କରିଛି। ଗତ ୨୪ ଘଣ୍ଚାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାରରୁ ଅଧିକ କରୋନା ପଜିଟିଭ। ଏଥିସହ ୧୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଲଗାତର ୨ ଦିନ ହେଲା ନୂଆ ସଂକ୍ରମଣ ୩୫ ହଜାର ଉପରେ ରହୁଥିଲା। ହେଲେ ଆଜି ତାହା ୪୦ ହଜାର ଅତିକ୍ରମ କରିଛି। ଆଜିର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଗତ ୪ ମାସ ମଧ୍ୟରେ ସର୍ବାଧିକ।

You might also like