କରୋନା ଟିକା ପାଇଁ କେନ୍ଦ୍ର ସରକାର ନେଲେ ବଡ ପଦକ୍ଷେପ

ନୂଆଦିଲ୍ଲୀ: କରୋନା ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାଓଟେକ୍‌କୁ ୧୫ଶହ କୋଟି ଟଙ୍କା ଆଗୁଆ ଦିଆଯିବ। ଏଥିପାଇଁ ଆଗତ ଏକ ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି। ଜେନେରାଲ ଫାଇନାନସ ନିୟମାନୁଯାୟୀ, ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଏଭଳି ଟଙ୍କା ଆଗୁଆ ଦିଆଯାଇପାରିବ ନାହିଁ କିନ୍ତୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇ ଆଗୁଆ ଟଙ୍କା ଦେବାକୁ ସବୁଜ ସଙ୍କେତ ଦିଆଯାଇଛି।

ଏଥିପାଇଁ ସରକାରଙ୍କ ପକ୍ଷରୁ ନିୟମକୁ କୋହଳ କରାଯାଇଛି। ପୂର୍ବରୁ ଏପ୍ରିଲ ଆରମ୍ଭରେ କୋଭିଡ୍ ଟିକାର ଉତ୍ପାଦନ ବୃଦ୍ଧି ପାଇଁ ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୩ହଜାର କୋଟି ଟଙ୍କା ଅନୁଦାନ ପାଇଁ ଅନୁରୋଧ କରାଯାଇଥିଲା।

ବର୍ତ୍ତମାନ ସାରା ଦେଶରେ ଟିକାକରଣ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଆସନ୍ତା ୧ ତାରିଖ ଠାରୁ ସମସ୍ତଙ୍କୁ ଅର୍ଥାତ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକାକରଣ  ଦିଆଯିବ। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ୱୋଧନ କରି କହିଥିଲେ ଯେ ଜାନୁଆରୀ ଓ ଫେବ୍ରୁଆରୀ ଅପେକ୍ଷା ଏବେ ଔଷଧ ଉତ୍ପାଦନ ବଢିଛି। ଗତକାଲି ଔଷଧ କମ୍ପାନୀ ସହ ଆଲୋଚନା ହୋଇଥିଲା। ଆମେ ସୌଭାଗ୍ୟଶାଳୀ ଯେ, ଆମ ପାଖରେ ବହୁତ ବଡ଼ ଫାର୍ମା କମ୍ପାନୀ ଅଛି। ମେଡିକାଲରେ ବେଡ୍‌ ସଂଖ୍ୟା ବଢାଇବାକୁ  ବି ନିଷ୍ପତ୍ତି ହୋଇଛି ବୋଲି କହିଲେ ମୋଦି। ମୋଦି ଆହୁରି ମଧ୍ୟ କହିଛନ୍ତି, ଆମ ପାଖରେ ଭ୍ୟାକ୍ସିନ୍‌ ମଧ୍ୟ ଉପଲବ୍ଧ ଅଛି। ବର୍ତ୍ତମାନ ବିଶ୍ୱରେ ଆମ ଦେଶରେ ହିଁ ସବୁଠାରୁ ବଡ଼ ଟିକା କରଣ ଅଭିଯାନ ଆରମ୍ଭ ହୋଇଛି।

You might also like