ବିଗିଡ଼ିଲା ଏସ୍ପି ବାଲାସୁବ୍ରମଣ୍ୟମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା; ICUରେ ଭର୍ତ୍ତି
ଚେନ୍ନାଇ: ଗୋଟିଏ ପଟେ ଗୃହମନ୍ତ୍ରୀ କରୋନାରୁ ସୁସ୍ଥ ହୋଇଥିବା ବେଳେ ଅନ୍ୟପଟେ ଭେଟେରାନ୍ ସିଙ୍ଗର ଏସ୍ପି ବାଲାସୁବ୍ରମଣ୍ୟମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଏହାପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ ସେ କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଚେନ୍ନାଇର MGM ହେଲ୍ଥ କେୟାର୍ରେ ଭର୍ତ୍ତି କରାଯାଇଥିଲା।
ଏହା ପୂର୍ବରୁ ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ନେଇ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ମେଡିକାଲର ଏକ ସ୍ୱତନ୍ତ୍ର ଏକ୍ସପର୍ଟ ଟିମ୍ ତାଙ୍କ ଚିକିତ୍ସାରେ ଲାଗିଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ଅଗଷ୍ଟ ୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଫେସ୍ବୁକରେ ଏକ ଭିଡିଓ ଅପ୍ଲୋଡ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଭିଡିଓରେ କହିଥିଲେ, “ଗତ ୨-୩ ଦିନ ହେବ ମୁଁ ଅସୁସ୍ଥତା ଅନୁଭବ କରୁଛି। ଛାତିରେ ଯନ୍ତ୍ରଣା ହେବା, କଫ, ଥଣ୍ଡା ଓ ଜ୍ୱର ଅନୁଭବ କରୁଥିଲି। ଏହା ବ୍ୟତୀତ ଅନ୍ୟ କୌଣସି ସମସ୍ୟା ନାହିଁ। କିନ୍ତୁ ମୁଁ ଏହାକୁ ଗୁରୁତର ସହ ନେଇ ହସ୍ପିଟାଲ୍ ଯାଇ ଚେକ୍ କରିଥିଲି। ଡାକ୍ତରମାନେ ଏହାକୁ କରୋନାର ସାମାନ୍ୟ ଲକ୍ଷଣ ବୋଲି କହିଥିଲେ। ଔଷଧ ଖାଇବା ସହିତ ହୋମ୍ କ୍ୱାରେଣ୍ଟିନ୍ ରହିବାକୁ ପରାମର୍ଶ ଦେଇଥିଲେ।” କିନ୍ତୁ ଘରେ ଅନ୍ୟ ପରିବାର ସଦସ୍ୟ ଥିବାରୁ ସେ ଘରେ ନ ରହି ଡାକ୍ତରଖାନା ଆସିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଭିଡିଓରେ କହିଛନ୍ତି ୭୪ ବର୍ଷୀୟ ଏସ୍ପି ବାଲାସୁବ୍ରମଣ୍ୟମ। ଏହି ଭେଟେରାନ ସିଙ୍ଗର ତାମିଲ ଓ ହିନ୍ଦୀ ସମେତ ଅନ୍ୟ ଭାଷାରେ ବି ଗୀତ ଗାଇଛନ୍ତି।