କାହିଁକି ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ ? ଅନେକ କାରଣ ଦର୍ଶାଇଲେ AIIMS ନିର୍ଦ୍ଦେଶକ ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସାରା ଦେଶରେ ଟିକାକରଣ ମଧ୍ୟ ଚାଲିଛି। ସମାଜର ଶେଷ ପାହାଚରେ ଯେଭଳି ଟିକା ପହଞ୍ଚିବ ସେନେଇ କେନ୍ଦ୍ର ସରକାର ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି, ଏତେ ସବୁ ସତ୍ତ୍ୱେ ବି କାହିଁକି ସଂକ୍ରମଣ ଥମିବାର ନାଁ ଧରୁନି। ଭ୍ୟାକ୍ସିନ ନେବା ପରେ କାହିଁକି ସଂକ୍ରମିତ ହେବାର ସମ୍ଭାବନା ରହିଛି ? ଯଦି ଭ୍ୟାକ୍ସିନ ନେବା ପରେ ବି କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି ତେବେ ଭ୍ୟାକ୍ସିନ ନେବାର ‍ଫଇଦା କ’ଣ ? ଏଭଳି ନାନା ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି। କାରଣ କରୋନାର ଏହି ଦ୍ୱିତୀୟ ଲହର ସମସ୍ତଙ୍କୁ ଡରାଇ ଦେଇଛି। ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ନେଇ ପୂରା ଦେଶ ଏବେ ଛାନିଆ। ଅନେକ ରାଜ୍ୟରର ସରକାର ସଂକ୍ରମଣ ରୋକିବାକୁ ଲକଡାଉନ କରିବା କଥା ଚିନ୍ତା କଲେଣି।

ତେବେ ଏନେଇ ଦିଲ୍ଲୀ ସ୍ଥିତ AIIMS ହସ୍ପିଟାଲ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଉତ୍ତର ରଖିଛନ୍ତି। ରଣଦୀପ ଗୁଲେରିଆ କରୋନାର ଦ୍ୱିତୀୟ ଲହର ଏତେ ଶୀଘ୍ର ବ୍ୟାପିବାର ଅନେକ କାରଣ ଦର୍ଶାଇଛନ୍ତି। ହେଲେ ଏହା ମଧ୍ୟରୁ ଦୁଇଟି ପ୍ରମୁଖ କାରଣକୁ ସେ ସ୍ପଷ୍ଟ ଭାବେ ବୁଝାଇଛନ୍ତି। ପ୍ରଥମଟି ହେଉଛି ଜାନୁଆରୀ ଏବଂ ଫେବୃଆରୀରେ ଟୀକାକରଣ ଆରମ୍ଭ ହେବା ପରେ ସଂକ୍ରମଣ ମାମଲା କମିବାରେ ଲାଗିଲା। ଏଥିପାଇଁ ସାଧାରଣ ଲୋକଙ୍କଠାରୁ ବଡ଼ ବଡ଼ିଆ ପର୍ଯ୍ୟନ୍ତ କେହି ଆଉ କରୋନା ଗାଇଡଲାଇନକୁ ଖାତିର କଲେ ନାହିଁ। ଯାହାଫଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଲା। ତେବେ ଏହା ହିଁ ଥିଲା ଟର୍ଣ୍ଣିଂ ପଏଣ୍ଟ, ଯେତେବେଳେ କରୋନା ଭୂତାଣୁରେ ପରିବର୍ତ୍ତନ ଆସିଥିଲା ଏବଂ ତାହା ଅଧିକ ସଂକ୍ରାମକ ପାଲଟିଗଲା।

ଗୁଲେରିଆ ଆହୁରି କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ହେତୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରବଳ ଚାପ ରହିଛି। ଡାକ୍ତରଖାନା ଗୁଡ଼ିକରେ କ୍ରମାଗତ ଭାବେ ଶଯ୍ୟା ସଂଖ୍ୟା ବଜାୟ ରଖିବାକୁ ହେବ। ନଚେତ ସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ଏହାସହ ବଢ଼ୁଥିବା ସଂକ୍ରମଣ ସହ ମୁକାବିଲା କରିବାକୁ ହେଲେ ଡାକ୍ତରଖାନାର ସମ୍ବଳ ବୃଦ୍ଧି କରିବାକୁ ପଡିବ। ଯନ୍ତ୍ରପାତିଠାରୁ ଆରମ୍ଭ କରି ଟେଷ୍ଟିଂ କିଟ୍, ପିପିଇ କିଟ୍, ବେଡ୍, ଅକ୍ସିଜେନ ଭଳି ଅନେକ ଅତି ଆବଶ୍ୟକୀୟ ସାମଗ୍ରୀ ମେଡିକାଲ ଗୁଡ଼ିକରେ ମହଜୁଦ୍ ରଖିବାକୁ ହେବ।

ସେ ଆହୁରି କହିଛନ୍ତି, ଏହି ସମୟରେ ଦେଶରେ ଅନେକ ଧାର୍ମିକ କାର୍ଯ୍ୟକଳାପ ଚାଲିଛି। ଏମିତିକି ବିଧାନସଭା ନିର୍ବାଚନ ମଧ୍ୟ ଚାଲିଛି। ଆଉ ସାଧାରଣ ଲୋକ ଏକାଠି ହେଉଛନ୍ତି। ଲୋକଙ୍କୁ ଏହି କଥା ବୁଝିବାକୁ ହେବ ଯେ, ମଣିଷ ଜୀବନ ହେଉଛି ବହୁ ମୂଲ୍ୟବାନ। ତେଣୁ ଯାହା ସବୁ ପରମ୍ପରା ତଥା କାର୍ଯ୍ୟକଳାପ ରହିଛି ସେସବୁକୁ ଏକ ସୀମା ଭିତରେ ରହି କରିବାକୁ ହେବ। କାରଣ ଏହା ଆମ ପାଇଁ କରିବା ସହଜ ହେବ। କିନ୍ତୁ ଥରେ ସଂକ୍ରମିତ ହେଲେ ଆମେ ଆଜାଣତରେ ଅନ୍ୟ ମାନଙ୍କୁ ବିପଦରେ ପକାଇବା। ତେଣୁ କୋଭିଡ ଗାଇଡଲାନ ମାନି ଲୋକ ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ ବୋଲି କହିଛନ୍ତି। ଯାହାଫଳରେ ସେମାନଙ୍କ ଧାର୍ମିକ ଭାବନା ମଧ୍ୟ ନଷ୍ଟ ହେବ ନାହିଁ

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ରଣଦୀପ ଗୁଲେରିଆ କହିଛନ୍ତି, ଭ୍ୟାକ୍ସିନ ଶତପ୍ରତିଶତ ଲୋକଙ୍କୁ ଭଲ କରେ ନାହିଁ। ଭ୍ୟାକ୍ସିନ ନେବା ପରେ ମଧ୍ୟ ଅନେକ ଲୋକ ସଂକ୍ରମିତ ହଇପାରନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଲା ଯଦି କୌଣସି ବ୍ୟକ୍ତି ଭ୍ୟାକ୍ସିନ ନେଇଛନ୍ତି ଏବଂ ଏହାପରେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ କରୋନା ତାଙ୍କୁ ସେତେ ମାତ୍ରାରେ କ୍ଷତି ପହଞ୍ଚାଇପାରିବ ନାହିଁ। କାରଣ ଏହି ଭ୍ୟାକ୍ସିନ ଦ୍ୱାରା ଶରୀରରେ ଆଣ୍ଟିବଡି ବୃଦ୍ଧି ପାଇସାରିଥିବ।

You might also like