ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ରଣନୀତି ଆରମ୍ଭ
ଭୁବନେଶ୍ୱର: ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ଟିକା ଆସିଲେ କିଭଳି ଏହାର ସୁରକ୍ଷିତ ସଂରକ୍ଷଣ କରାଯିବ? ସାଧାରଣରେ କରୋନା ଭାକ୍ସିନ୍ ଉପଲବ୍ଧ ହେବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆରମ୍ଭ ହୋଇଛି ରଣନୀତିର ପ୍ରସ୍ତୁତି ପ୍ରକ୍ରିୟା।
କୋଭିଡ୍ ଟିକାର ବିକାଶ ଓ ବଣ୍ଟନ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ମନ୍ଥନ ପରେ ଦେଶରେ ଖୁବଶୀଘ୍ର ଟିକା ଉପଲବ୍ଧତା ଆଶା ବଢ଼ିଛି। ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଟିକା ପ୍ରସ୍ତୁତିର ଅଗ୍ରଗତି, ନିୟାମକ ସଂସ୍ଥାର ଅନୁମୋଦନ ଏବଂ ଉତ୍ପାଦନ ଆଦି ପ୍ରସଙ୍ଗ ନେଇ ବିସ୍ତୃତ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ଏପଟେ ଟିକା ସଂଗ୍ରହ, ସଂରକ୍ଷଣ ଓ ବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ଯାହା ଗାଇଡ୍ ଲାଇନ୍ ରହିଛି, ସେହି ଅନୁସାରେ ହିଁ ରାଜ୍ୟ ସରକାର ଖସଡ଼ା ପ୍ରସ୍ତୁତ କରୁଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।
ଏପଟେ କରୋନା ଟିକା ପ୍ରସ୍ତୁତିରେ କିଛି କମ୍ପାନୀ ସଫଳତା ଆଡ଼କୁ ବଢୁଥିଲେ ବି ଆମ ରାଜ୍ୟ ପାଇଁ ଏବେ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି ଏହାର ସୁରକ୍ଷିତ ସଂରକ୍ଷଣ। କାରଣ ଅଧିକାଂଶ ବିଦେଶୀ ଟିକା ପାଇଁ ଅତ୍ୟଧିକ ଥଣ୍ଡା ତାପମାତ୍ରାର ଆବଶ୍ୟତକା ରହିଛି। ହେଲେ ରାଜ୍ୟରେ ପର୍ଯ୍ୟାପ୍ତ କୋଲ୍ଡ ଚେନ୍ ସିଷ୍ଟମର ବ୍ୟବସ୍ଥା ନଥିବାରୁ ଟିକାଦାନ ପ୍ରକ୍ରିୟାକୁ ଏହା ଜଟିଳ କରିବ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ।
ଦେଶରେ ଅନ୍ୟ ମହାମାରୀ ଲାଗି ଭ୍ୟାକ୍ସିନ ସାଧାରଣତଃ ୨ରୁ ୮ ଡିଗ୍ରୀ ସେଣ୍ଟିଗ୍ରେଡରେ ସୁରକ୍ଷିତ ରହିଥାଏ। ହେଲେ ଆମେରିକାର କରୋନା ଟିକା ମଡେର୍ଣ୍ଣା ମାଇନସ୍ ୨୦ ଡିଗ୍ରୀ ଓ ଫାଇଜର ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାର ଆବଶ୍ୟକ କରୁଥିବାରୁ ଏହାର ପରିବହନ, ସଂରକ୍ଷଣ ଓ ବଣ୍ଟନ ଲାଗି କିଭଳି ଭତ୍ତିଭୂମି ପ୍ରସ୍ତୁତ ହେବ ତାହା ହିଁ ମୁଖ୍ୟ ଚ୍ୟାଲେଞ୍ଜ୍ ପାଲଟିଛି।
ତେବେ ଭାରତରେ ପ୍ରସ୍ତୁତ କୋଭାକ୍ସିନ୍ ଅନ୍ୟ ସାଧାରଣ ଟିକା ଭଳି ୨-୮ ଡିଗ୍ରୀ ସେଣ୍ଟିଗ୍ରେଡରେ ସୁରକ୍ଷିତ ରହୁଥିବାରୁ ଏହା ଅଶ୍ୱାସନାର ବିଷୟ ବୋଲି କହିଛନ୍ତି କୋଭାକ୍ସିନ୍ ପରୀକ୍ଷଣର ଓଡ଼ିଶା ମୁଖ୍ୟ ଡାକ୍ତର ଇ. ଭେଙ୍କଟ ରାଓ। ଆମ ରାଜ୍ୟରେ କରୋନା ଟିକା ପହଞ୍ଚିବାକୁ ଜାନୁଆରୀରୁ ମାର୍ଚ୍ଚ ଓ ସାଧାରଣ ଲୋକେ ପାଇବା ବେଳକୁ ଆସନ୍ତା ବର୍ଷ ସେପ୍ଟେମ୍ବର ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ପୂର୍ବାନୁମାନ କରିଛନ୍ତି WHOର ଓଡ଼ିଶା ମୁଖ୍ୟ ଡାକ୍ତର ନିହାର ରାୟ।
ଏସବୁ ଭିତରେ ଓଡ଼ିଶାରେ ଯେପରି କରୋନା ଟିକାଦାନ କାର୍ଯ୍ୟକ୍ରମ ସଫଳତାର ସହ କରାଯିବ, ସେଥିପାଇଁ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଟିକା ସଂରକ୍ଷଣ, ପରିବହନ ଓ ବଣ୍ଟନ ଭିତ୍ତିଭୂମି ଲାଗି ତୁରନ୍ତ ୩୩ କୋଟି ୪୮ ଲକ୍ଷ ଅର୍ଥର ଆବଶ୍ୟକତା ନେଇ ସ୍ୱାସ୍ଥ୍ୟ ଅତିରିକ୍ତ ଶାସନ ସଚିବ ଚିଠି ଲେଖିଥିଲେ।