ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, କହିଲେ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ବୃଦ୍ଧି କରାଯାଉ

ନୂଆଦିଲ୍ଲୀ: ଦେଶର ଯେଉଁ ଜିଲ୍ଲାରେ ଅଧିକ କରୋନା ସଂକ୍ରମଣ ହେଉଥିବା ଜାଣାପଡ଼ୁଛି, ସେହି ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଆବଶ୍ୟକ । ଏନେଇ ଶନିବାର ଦେଶରେ କରୋନା ମହାମରୀ ସ୍ଥିତି ଏବଂ ଟକାକରଣ ନେଇ ସମୀକ୍ଷା କରୁଥିବା ବେଳେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ ସିଧାସଳଖ କହିଛନ୍ତି ଯେ, ଯେଉଁ ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ସେଠାରେ କଟକଣାକୁ ଆହୁରି କଡ଼ାକଡ଼ି କରାଯାଉ । ସେହିପରି ସେହି ଅଞ୍ଚଳ ଗୁନିକରେ ପରୀକ୍ଷଣକୁ ମଧ୍ୟ ଅଧିକ ଗୁରୁତ୍ୱ ଦେବା ସହ ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଠାରେ ଉଭୟ ଆର୍ଟିପିସିଆର୍ ଏବଂ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଅଧିକ ମାତ୍ରାରେ କରାଯିବା ଦରକାର ।

ସେହିପରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନ୍ୱିତ କରି ଡୋର୍ ଟୁ ଡୋର୍ ଟେଷ୍ଟିଂ ଓ ସର୍ଭିଲାନ୍ସ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରାମୀଣ ଅଞ୍ଚଳରେ କୋଭିଡ ସହ ଲଢେଇ ପାଇଁ ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କୁ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବା ସହ ସଠିକ୍ ଭାବେ ଅକ୍ସିଜେନ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଭେଣ୍ଟିଲେଟର ଏବଂ ଅନ୍ୟ ଉପକରଣ ପରିଚଳାନା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆବଶ୍ୟକ ତାଲିମ ଦେବା ଜରୁରୀ ବୋଲି ମୋଦି କହିଛନ୍ତି । ଦେଶରେ ଗତ ମାର୍ଚ୍ଚ ପ୍ରାରମ୍ଭରେ ପ୍ରତି ସପ୍ତାହରେ ୫୦ ଲକ୍ଷ ଟେଷ୍ଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୧.୩ କୋଟିରେ ପହଞ୍ଚିଛି । ଅନ୍ୟପଟେ ଦେଶରେ ଧିରେ ଧିରେ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ସୁସ୍ଥତା ହାର ମଧ୍ୟ ବଢିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ତେବେ ଦେଶରେ ଶନିବାର ୩ ହଜାର ୮୯୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୩ ଲକ୍ଷ ୨୬ ହଜାର ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୫୩ ହଜାର ୨୯୯ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ସପ୍ତାହ ଧରି ୨୧ ପ୍ରତିଶତରୁ ଅଧିକ ଥିବା ସଂକ୍ରମିତଙ୍କ ସଂଖ୍ୟାରେ ଏବେ ହ୍ରାସ ଘଟିଥିବ ତଥ୍ୟରୁ ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍ । ଦେଶରେ ଗତ କିଛି ସପ୍ତାହ ହେବ ୨୧.୯ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୧୯.୮ ପ୍ରତିଶତରେ ପହଞ୍ଚିଛି ।

ଗତ ୧୨ ଦିନରେ ଆକଟିଭ୍ କେସ୍ ସଂଖ୍ୟା କମିଛି । ବିଶେଷ ଭାବେ ଦିଲ୍ଲୀ, ଛତିଶଗଡ଼, ହରିୟାଣା ଏବଂ ଡାମନ୍ ଓ ଡିଉରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ ମଧ୍ୟପ୍ରଦେଶରେ ସବୁଠୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ରିପୋର୍ଟ କହୁଛି । ଅନ୍ୟପଟେ ଦିଲ୍ଲୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି କିଛି ଅଂଚଳରେ ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତାସହ କିଛି ରାଜ୍ୟରେ ଏବେ ବି ସଂକ୍ରମଣ ପିକରେ ରହିଛି । ଯେପରି ତାମିଲନାଡ଼ୁ, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଏବଂ ହିମାଚଳପ୍ରଦେଶ ।

ତେଣୁ ଏହି ସବୁ ଅଞ୍ଚଳରେ କଡ଼ାକଡ଼ି ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି । ଏବେ ଦେଶର ୧୧ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

You might also like