ଅନୁମତି ଅପେକ୍ଷାରେ ଫାଇଜର, ଶୀତଳୀକରଣ ବ୍ୟବସ୍ଥା ବଡ଼ ସମସ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ବିକ୍ରି ପାଇଁ DCGI ଠାରୁ ଜରୁରୀକାଳୀନ ଅନୁମୋଦନ ଲୋଡ଼ିଲା ଫାଇଜର୍। ଭାରତୀୟଙ୍କ ଠାରେ ଫାଇଜର୍ ଟିକାର ପରୀକ୍ଷଣ ନକରି, ଦେଶରେ ଏହାର ବିକ୍ରୟ ଓ ବିତରଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଠାରୁ ଅନୁମତି ଲୋଡ଼ାଯାଇଛି। DCGI ଠାରେ ପ୍ରଥମ ଥର ପାଇଁ ଏଭଳି କରୋନା ଟିକାର ଜରୁରୀକାଳୀନ ଅନୁମୋଦନ ଲୋଡ଼ାଯାଇଛି।

ଆମେରିକୀୟ କଂପାନୀ ଫାଇଜର୍ ଓ ଜର୍ମାନ୍ କଂପାନୀ ବାୟୋ ଏନ୍ ଟେକ୍ ଦ୍ୱାରା ବିକଶିତ ଭ୍ୟାକ୍ସିନର ସମୂହ ଟିକାକରଣ ଖୁବଶୀଘ୍ର ୟୁକେ ଓ ବାହାରିନରେ ହେବାକୁ ଯାଉଛି। ଭାରତୀୟଙ୍କ ଠାରେ ଏହାର ଟ୍ରାଏଲ୍ ହୋଇନଥିଲେ ମଧ୍ୟ, ବିଦେଶରେ ହୋଇଥିବା ପରୀକ୍ଷଣ ରିପୋର୍ଟକୁ DCGIଙ୍କ ଠାରେ ଏହାକୁ ଅନୁମତି ଦେବାର କ୍ଷମତା ରହିଛି।

ତେବେ ଏହାର ସଂରକ୍ଷଣ ପାଇଁ ମାଇନସ୍ ୭୦ ଡିଗ୍ରୀ ଶୀତଳୀକରଣ ବ୍ୟବସ୍ଥା ଆବଶ୍ୟକ ହେଉଥିବାରୁ, ଭାରତ ଭଳି ଦେଶରେ ତାହାର ଉପଯୋଗ ଏକ ବଡ଼ ସମସ୍ୟା। ସେପଟେ ୟୁକେରେ ଫାଇଜର୍ ଟିକା ନେବାକୁ ଥିବା ପ୍ରଥମ ଗୋଷ୍ଠୀରେ ଅଛନ୍ତି ୯୪ ବର୍ଷୀୟା କୁଇନ୍ ଏଲିଜାବେଥ୍ ଓ ୯୯ ବର୍ଷୀୟ ପ୍ରିନ୍ସ ଫିଲିପ୍। ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୟୁକେରେ ପ୍ରଥମେ ଟିକା ଦିଆଯାଉଥିବାରୁ କୁଇନ୍ ଏଲିଜାବେଥ୍ ଓ ପ୍ରିନ୍ସ ଫିଲିପ୍ ସେହି ଗୋଷ୍ଠୀରେ ଅଛନ୍ତି।

ଏଭିତରେ ଆଜି ପୁଣେରେ ଋଷୀୟ ଟିକା ସ୍ପୁଟନିକ-ଭିର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି। ପୁଣେର ନୋବେଲ୍ ହସ୍ପିଟାଲରେ ୧୭ ଜଣ ସ୍ୱେଚ୍ଛାସେବୀ ଫେଜ୍-ଟୁ ଟ୍ରାଏଲ୍‌ରେ ସାମିଲ ହୋଇଛନ୍ତି।

You might also like