କରୋନାକୁ ରୋକିବା ପାଇଁ ଲକ୍‌ଡାଉନ୍ ଛଡ଼ା ଅନ୍ୟ ବିକଳ୍ପ କଣ ?

ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀ କରୋନାର ପୁଣି ଭୟଙ୍କର ରୂପ। ଦିନକୁ ଦିନ ସାଂଘାତିକ ସ୍ଥିତି ଆଡ଼କୁ ଯାଉଛି ସଂକ୍ରମଣ ଟ୍ରେଣ୍ଡ୍। କେବଳ ମୁମ୍ବାଇରେ ଆଜି ଚିହ୍ନଟ ହୋଇଛନ୍ତି ୮୬୪୬ ନୂଆ ପଜିଟିଭ୍। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ବାହାରିଛନ୍ତି ୪୩ ହଜାରରୁ ଅଧିକ ସଂକ୍ରମିତ। ଯଦି ସ୍ଥିତିରେ ସୁଧାର ନଆସେ ତାହାହେଲେ ମହାରାଷ୍ଟ୍ରରେ ଲକ୍‌ଡାଉନ୍ ଲାଗୁ କରାଯିବା ନେଇ ଏଡାଇ ଦିଆଯାଇପାରିବ ନାହିଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଲୋକମାନେ ନିୟମ ମାନିବାକୁ ସେ ନିବେଦନ କରିଛନ୍ତି। ‌

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏବେ ସାଂଘାତିକ ଭାବେ ସଂକ୍ରମଣ ବଢ଼ିଚାଲିଛି। ପରିଣାମସ୍ୱରୂପ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଭିତ୍ତିଭୂମି କମିଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଠାକରେ ଆଶଙ୍କା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଯେଉଁ ସ୍ଥିତିକୁ ଆସିଲାଣି ଆଗରେ କୂଅ ଏବଂ ପଛରେ ଘାଇ ଭଳି ଅବସ୍ଥାରେ ଆମେ ପହଞ୍ଚିଯାଇଛନ୍ତି। ଅର୍ଥ ବ୍ୟବସ୍ଥାକୁ ଦେଖିବା ନା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦେଖିବା। ଲକଡାଉନ୍ ଜାରି କରିଦେଲେ ଆର୍ଥିକ ସ୍ଥିତି ସାଂଘାତିକ ଭାବେ ପ୍ରଭାବିତ ହେବ। ତେଣୁ ଆମକୁ ଧୈର୍ଯ୍ୟର ସହ କରୋନା ବିରୋଧରେ ଲଢ଼େଇ କରିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ।

ଆଗାମୀ ଦିନରେ ଚରମ କଟକଣା ଜାରି ପାଇଁ ନିର୍ଦ୍ଦେଶ ଦିଆଯିବ। ବର୍ତ୍ତମାନର କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଲକ୍‌ଡାଉନ୍ ବ୍ୟତୀତ ଆଉ କୌଣସି ବିକଳ୍ପ କଣ ଅଛି କି ବୋଲି କହିଛନ୍ତି ଠାକ୍‌ରେ। ଆଗାମୀ ଦିନରେ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ RTPCR ଟେଷ୍ଟ କରାଯିବ ବୋଲି  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ କାୟା ବିସ୍ତାରୁଥିବା ବେଳେ ସବୁଠୁ ଉଦ୍‌ବେଗଜନକ ପୁଣେ ରହିଛି। ସହରରେ ଏଠାରେ ଆଜି ଲଗାତର ଦ୍ୱିତୀୟ ଦିନ ପାଇଁ ୮ ହଜାର ଟ୍ରେଣ୍ଡ୍ ପରେ ପ୍ରଶାସନ କଠୋର ହୋଇଛି।

ଆସନ୍ତା ସପ୍ତାହେ ଲାଗି ସଂଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ବାର, ହୋଟେଲ୍, ରେଷ୍ଟୁରାଣ୍ଟ, ମଲ୍ ଓ ସିନେମା ହଲ୍ ଭଳି ସର୍ବସାଧାରଣ ସ୍ଥାନକୁ ୭ ଦିନ ପାଇଁ ବନ୍ଦ୍ ରଖାଯାଇଛି। ବିବାହ, ଅନ୍ତିମ ସଂସ୍କାର ଆଦି ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ସାଙ୍ଗକୁ ରାସ୍ତାରେ ଜୋରଦାର ହୋଇଛି ଚେକିଂ ଓ ବ୍ଲକିଂ।

ସେପଟେ ଛତିଶଗଡ଼ ଦୁର୍ଗ ଜିଲ୍ଲାକୁ ସଂପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏପ୍ରିଲ୍ ୬ରୁ ୧୪ ଯାଏଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାରୁ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

You might also like