ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେସନ୍ ସାଇଟ୍ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ତେବେ ମେ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ, ସେବେ ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ରାଜ୍ୟରେ ଆଜି ଆଉ ୯୦ ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ଅନ୍ୟପକ୍ଷେ, ଆଜି ଯାଜପୁର ଓ କେନ୍ଦୁଝରରେ ଟିକାକରଣ ବନ୍ଦ ରହିଛି। ୪୬୪ଟି କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୫୦ ହଜାର କୋଭାକ୍ସିନ ଟିକା ମହଜୁଦ ରହିଛି। ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀମାନଙ୍କ ସହ ଆଲୋଚନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଟିକାକରଣ ହୋଇଥିବା ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେପଟେ, ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆଜିଠାରୁ ଅନଲାଇନରେ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବଅପରାହ୍ନ ୪ଟାରୁ ଟିକା ପଞ୍ଜୀକରଣ ଆରମ୍ଭ ହେବ। ଟିକାକରଣ ପାଇଁ କୋଓ୍ବିନ୍ ପୋର୍ଟାଲରେ ପଞ୍ଜୀକରଣ ହେବ। ଏହାସହ ଆରୋଗ୍ୟ ସେତୁ ଓ ଉମଙ୍ଗ ଆପରେ ବି ପଞ୍ଜୀକରଣ ହୋଇପାରିବ। ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେବେ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ। ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ। ଦୁଇ ଟିକା ଉତ୍ପାଦନ କମ୍ପାନୀ ଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି। ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅର୍ଡର ଦେଇ ସାରିଛି। କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନି।

କରୋନା ସଂକ୍ରମଣକୁ ଦେଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଦେଶରେ ଆହୁରି ପ୍ରାୟ ୨୦ ଦିନ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ। ମେ ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ କରୋନା ପିକ୍।ଆଇଆଇଟି କାନପୁରର ଗବେଷଣା ଅନୁସାରେ, ଦେଶରେ ମେ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ କରୋନା। ତେବେ ସେ ଆଶ୍ୱାସନା ଦେଇଛନ୍ତି, ରାଜ୍ୟରେ ଟେଷ୍ଟିଂ କମିନି କିମ୍ବା ଟେଷ୍ଟିଂ କିଟର କୌଣସି ଅଭାବ ନାହିଁ। ଏବେ ଲୋକେ ନିଜେ ନିଜେ ଆସି ଟେଷ୍ଟିଂ କରାଉଛନ୍ତି।

You might also like