ଘରକୁ ଫେରିଥିଲେ ବାହା ହୋଇଥାନ୍ତେ, ହେଲେ କରୋନା ନେଇଗଲା ଜୀବନ

ଉଦଳା: ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲା ପୁଅ, ଫେରିଥିଲେ ବାହାଘର ହୋଇଥାନ୍ତା। ହେଲେ ପୁଅ ଆଉ ଫେରିଲାନି, ଫେରିଲା ପୁଅର ମୃତ୍ୟୁ ଖବର। ଆଉ ସବୁଦିନ ପାଇଁ ପରିବାର ଲୋକଙ୍କୁ ଛାଡି ଚାଲିଗଲା ପୁଅ। କରୋନାରେ ଆକ୍ରାନ୍ତ ହୋଇ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

କରୋନା ପଜିଟିଭ ଥିବାରୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ମଧ୍ୟ ଘରକୁ ‌ଆସିପାରିଲାନି। ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡିଛନ୍ତି ପରିବାର ଲୋକ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ। ଏମିତି ଏକ ଦୁଃଖଦ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ।

ଡିହିରାକଳ ଗାଁର ଜଣେ ୩୦ ବର୍ଷୀୟ ଯୁବକ ରୋଜଗାର ପାଇଁ ଗତ ମାର୍ଚ୍ଚ ମାସରେ ହରିୟାଣା ଯାଇଥିଲେ। ସେଠାରୁ ଫେରିଥିଲେ ତାଙ୍କର ବାହାଘର ହୋଇଥାନ୍ତା। ବାହାଘର ମୁକୁଟ ସାଙ୍ଗକୁ ବାହାଘର ଲାଗି ସବୁକିଛି ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ଲକ୍‌ଡାଉନ୍‌ ପାଇଁ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଯୁବକ ଜଣକ ଘରକୁ ଫେରି ପାରିଲେନି। ୮ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ମେଡିକାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁପରେ ଜଣାପଡ଼ିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ଥିଲେ। 

ଶେଷ ମୁହୂର୍ତ୍ତରେ ଗୋଟିଏ ଥର ପୁଅର ମୁହଁ ଦେଖିବାକୁ ପୂରା ପରିବାର ଚାହିଁ ବସି ଥିବାବେଳେ ମୃତଦେହ ଆଉ ଘରକୁ ଆସିପାରିଲା ନାହିଁ। ଯେଉଁଠି ଦିନେ ଖୁସିର ଲହରି ଦେଖିବାକୁ ମିଳିଥାନ୍ତା, ଆଜି କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ।

You might also like