କରୋନା ନୂଆ ଗାଇଡଲାଇନ୍; କଣ ସବୁ ଖୋଲିବ ଜାଣନ୍ତୁ
ନୂଆଦିଲ୍ଲୀ: ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲା ଗୃହ ମନ୍ତ୍ରାଳୟ। ଏଥଅ କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଅଧିକ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଗାଇଡଲାଇନକୁ କଡ଼ାକଡ଼ି ମାନିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ। ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ବି ଗୁରୁତ୍ୱ ଦିଆଯାଇଛି। ପରିସ୍ଥିତି ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ନାଇଟ କର୍ଫ୍ୟୁ ଜାରି କରିପାରିବେ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକ୍ ଡାଉନ ପାଇଁ ଗାଇଡ୍ଲାଇନ୍ରେ ଅନୁମତି ନାହିଁ।
ନୂଆ ଗାଇଡ୍ଲାଇନ୍ରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦେଲା ଗୃହ ମନ୍ତ୍ରାଳୟ। ସେହିପରି ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚଳାଇବାକୁ ଅନୁମିତ ମିଳିଛି। କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ବି ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର।
ତା ବ୍ୟତୀତ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲାଯିବାକୁ ଅନୁମତି ଦିଆଯାଇଥିବା ବେଳେ ସାମାଜିକ, କ୍ରୀଡ଼ା, ମନୋରଂଜନ, ଶୈକ୍ଷିକ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ଇଣ୍ଡୋର ହଲ୍ରେ ଧାର୍ଯ୍ୟ ସିଟ୍ର ୫୦% ଦର୍ଶକଙ୍କୁ ଅନୁମତି ଦିଆଯାଇଛି। ହଲ୍ ଭିତରେ ସର୍ବାଧିକ ୨ଶହ ଲୋକଙ୍କୁ ବସିବାକୁ ଅନୁମତି ମିଳିବ। ପରିସ୍ଥିତି ଦେଖି ରାଜ୍ୟ ସରକାର ତାକୁ ୧୦୦ ଓ ତାଠୁ ହ୍ରାସ କରିପାରିବେ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।
ଏଥିସହିତ ଖୋଲା ଅଞ୍ଚଳରେ ସ୍ଥାନ ଦେଖି ଲୋକସଂଖ୍ୟା ସ୍ଥିର କରାଯିବ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲଖେ ରହିଛି। ତା ସହିତ ରାଜ୍ୟ ଭିତରେ ବା ରାଜ୍ୟ ବାହାରକୁ ଆତଯାତ ନେଇ ଗାଇଡ୍ଲାଇନ୍ରେ କଟକଣା ନାହିଁ।
ଆହୁରି ପଢ଼ନ୍ତୁ:ଏହି ରାଜ୍ୟରେ ଡିସେମ୍ୱର ୧ରୁ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ