ଏହି ରାଜ୍ୟରେ ଜୁଲାଇ ୩୧ ଯାଏ ବଢ଼ିଲା ଲକଡାଉନ୍

କୋଲକାତା: ଦେଶରେ ଲଗାତର କରୋନାଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଲକଡାଉନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ବୁଧବାର ସର୍ବଦଳୀୟ ବୈଠକ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

କରୋନାଭାଇରସକୁ ନେଇ ହୋଇଥିବା ଏହି ବୈଠକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ୩୧ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ଟ୍ରେନ୍ କିମ୍ବା ମେଟ୍ରୋ ସେବା ବନ୍ଦ ରହିବ। ଏହାସହ ସ୍କୁଲ୍ ଓ କଲେଜ୍ ମଧ୍ୟ ବନ୍ଦ ରଖାଯିବ। ଏପରିକି କାର୍ଯ୍ୟାଳୟରେ ସାମାଜିକ ଦୂରତା ସହ ଯେପରି କାମ ଚାଲୁଛି, ତାହା ଜାରି ରହିବ।

ସୂଚନୋଯୋଗ୍ୟ, ପଶ୍ଚିମବଙ୍ଗରେ ବୁଧବାର ୪୪୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୧୭୩ରେ ପହଞ୍ଚିଛି। ଏଥିରୁ ୫୯୧ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ଏବେବି ୪୮୯୦ ମାମଲା ସକ୍ରିୟ ଅଛି।