ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ରୋଗୀଙ୍କୁ ମାଗଣା ଦିଆଯିବ ଔଷଧ

ମୁମ୍ବାଇ: କରୋନା ସଂକ୍ରମଣ ବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇଥିବା ବେଳେ ମହାରାଷ୍ଟ୍ର ସରକାର ଏ ନେଇ ବଡ଼ ଘୋଷଣା କରିଛନ୍ତି। ବ୍ଲାକ୍ ଫଙ୍ଗସ ସଂକ୍ରମିତଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟ ମେଡିକାଲ ଇଂସୁରାନ୍ସ ସ୍କିମ୍ ଜରିଆରେ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏଥିସହ ବ୍ୟୟ ବହୁଳ ଆଣ୍ଟି ଫଙ୍ଗାଲ ମେଡିସିନର ଦାମ ମଧ୍ୟ ନିୟନ୍ତ୍ରଣ ପାଇଁ ଚେଷ୍ଟା କରାଯିବ ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି।

ଆଣ୍ଟି ଫଙ୍ଗାଲ ଡ୍ରଗ୍ ଆମ୍ଫୋଟେରିକିନ୍-ବି ର ଗୋଟିଏ ଶିଶିର ଦାମ୍ ରହିଛି ୫ ହଜାରରୁ ୮ ହଜାର ଟଙ୍କା। ତେବେ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ଏହାକୁ ୪ରୁ ୧୨ ସପ୍ତାହ ପର୍ଯନ୍ତ ଏହି ମେଡିସିନ୍ ନେଇଥାନ୍ତି। ତେବେ ସାଧାରଣ ରୋଗୀଙ୍କ ପାଇଁ ଏତେ ଦାମ୍ ଦେଇ ଏହା ନେବା ସମ୍ଭବପର ନୁହେଁ। ଏଥିଲାଗି ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରାଯାଇଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ଠାରେ ଏହି ବ୍ଲାକ୍ ଫଙ୍ଗସ ସଂକ୍ରମଣ ଦେଖାଦେଉଛି। ଡାଇବେଟିସ୍, କର୍କଟ, ହୃଦରୋଗ ଓ କିଡନୀ ସମସ୍ୟା ଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏଭଳି ଲୋକଙ୍କୁ, ସହଜରେ ଆକ୍ରମଣ କରୁଛି ବ୍ଲାକ୍ ଫଙ୍ଗସ୍। ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ନକରାଇଲେ, ନାକ, ଆଖି, ମାଢ଼ି ହାଡ଼, ଏପରିକି ଫୁସଫୁସ ଓ ମସ୍ତିଷ୍କକୁ ନଷ୍ଟ କରିଦେବା ସହ, ଜୀବନ ବି ନେଇଯାଉଛି ଏହି ଫଙ୍ଗାଲ୍ ଇନ୍ଫେକ୍ସନ୍। ଦିଲ୍ଲୀ, ଗୁଜରାଟ ଓ ମହାରାଷ୍ଟ୍ରରେ କୋଭିଡରୁ ସୁସ୍ଥ ହୋଇ, କିଛି ଲୋକ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେବା ନଜରକୁ ଆସିଛି।

ସେହିପରି ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ସେ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନଥିବା ସୂଚନା ମିଳିଛି। ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ ବୋଲି ଜଣାପଡ଼ିଛି। ବ୍ଲାକ୍ ଫଙ୍ଗସ୍ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

You might also like