IPL 2021: କୋଲକାତା ନାଇଟ୍ ରାଇଡର୍ସର ୨ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: IPL (Indian Premier League)ରେ ପଶିଲା କରୋନା। କୋଲକାତା ନାଇଟ୍ ରାଇଡର୍ସ(Kolkata Knight Riders)ର ୨ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେକେଆର୍‌ ଟିମ୍‌ର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ବରୁଣ ଓ ସନ୍ଦୀପ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଟିମ୍‌ର ଅନ୍ୟ ଖେଳାଳିମାନେ ଆଇସୋଲେସନ୍‌ରେ ରହିଥିବା ଜଣାପଡ଼ିଛି। ଫଳରେ ଆଜି ଖେଳାଯିବାକୁ ଥିବା ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ KKR ଓ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର( Royal Challengers Bangalore) ମଧ୍ୟରେ ମ୍ୟାଚ୍‌ ହେବାର ଥିଲା।

ସୂଚନାଥାଉ କି, ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ସର ପଟେଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କେକେଆର୍‌ର ବ୍ୟାଟ୍ସମ୍ୟାନ୍‌ ନୀତିଶ ରାଣା ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ହେଲେ ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ ପୂର୍ବରୁ ସେ ଆଉଥରେ ଟେଷ୍ଟ କରାଇଥିଲେ ଓ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାସହ ମୁମ୍ବାଇର Wankhede Stadiumର କିଛି ଗ୍ରାଉଣ୍ଡ୍‌ ଷ୍ଟାଫ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ମୁମ୍ବାଇରେ ଆଇପିଏଲ୍‌ର ୧୦ଟି ମ୍ୟାଚ୍‌ ସୁରୁଖୁରୁରେ ଚାଲିଥିଲା। ସେପଟେ ଟୁର୍ଣ୍ଣାମେଣ୍ଟରୁ ଓହରି ଅଷ୍ଟ୍ରେଲିଆର ଖେଳାଳି ଆଣ୍ଡ୍ରିୟୁ ଟାଏ, କେନ୍ ରିଚାର୍ଡସନ୍‌, ଆଦାମ ଜାମ୍ପା ସ୍ୱଦେଶ ଫେରି ଯାଇଛନ୍ତି।

ଦେଶରେ କରୋନା ମହାମାରୀର ପ୍ରକୋପ ଚାଲିଥିବା ବେଳେ ଆଇପିଏଲ୍ ମ୍ୟାଚ୍‌ ଚାଲିିଥିବାରୁ ଏହାକୁ ଅନେକ ନାପସନ୍ଦ କରିବା ସହିତ ସମାଲୋଚନା କରିଛନ୍ତି। ଦେଶରେ ଏଭଳି ମହାମାରୀ ସମୟରେ ମ୍ୟାଚ୍‌ ହେବା କଥା ନୁହେଁ ବୋଲି ଅନେକ କହିଛନ୍ତି। ଗତ ଥର ମଧ୍ୟ କରୋନା ସମୟରେ ଦେଶରେ ଆଇପିଏଲ୍ ମ୍ୟାଚ୍‌ ନ କରାଇ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା ବିସିସିଆଇ।

ଦେଶରେ କୋଭିଡ୍ ସଂକ୍ରମଣ ବଢୁଥିବା ବେଳେ ଆଇପିଏଲ୍‌(IPL 2021) ଉପରେ ଏହାର ପ୍ରଭାବ ପଡ଼ିଛି। ଭାରତରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ଖେଳାଳି ଏହି ବ୍ୟୟ ବହୁଳ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ବି ୩ ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୬୮ ହଜାର ୧୪୭ କରୋନା ସଂକ୍ରମିତ। ଏଥିସହ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୯ ଲକ୍ଷ ୨୫ ହଜାର ୬୦୪କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଦିନକରେ ୩ ହଜାର ୪୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

You might also like