ଦେଶରେ ଧୀରେ ଧୀରେ ମାତିଲାଣି ବ୍ରିଟେନ୍‌ରୁ ଆସିଥିବା ସାର୍ସ କୋଭ୍-୨ ଭାଇରସ; ପୁଣି ୪ ଚିହ୍ନଟ

ଥମୁଛି ଚୀନ ଭାଇରସ, ମାତୁଛି ବ୍ରିଟେନ୍‌ ଷ୍ଟ୍ରେନ୍‌

ନୂଆଦିଲ୍ଲୀ: ଚୀନ୍‌ରୁ ଆସିଥିବା କରୋନା ଭାଇରସ୍‌ ଧୀରେ ଧୀରେ କମୁଥିବା ବେଳେ ଏବେ ବ୍ରିଟେନ୍‌ରୁ ଆସିଥିବା ନୂଆ ପ୍ରକାରର କରୋନା ଭାଇରସ ମାତିବାକୁ ଲାଗିଲାଣି। ପୁଣି ୪ ଜଣଙ୍କ ଠାରେ ବ୍ରିଟେନ୍‌ ଷ୍ଟ୍ରେନ୍‌ ସାର୍ସ କୋଭ୍-୨ ଭାଇରସ ଚିହ୍ନଟ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୨୯ ଜଣ ବ୍ରିଟେନ୍‌ ଷ୍ଟ୍ରେନ୍‌ରେ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି।

ଗୁରୁବାର ସୁଧା ଏହି ନୂଆ ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂଖ୍ୟା ଥିଲା ୨୫ । ତେବେ ମଙ୍ଗଳାବାର ଓ ବୁଧବାର ସୁଧା ୨୦ ଜଣ ଲୋକ ସାର୍ସ କୋଭ୍-୨ରେ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଥିଲା।

ତେବେ ଦେଶର ୨୯ ଜଣ ସାର୍ସ କୋଭ୍-୨ ପଜିଟିଭ୍ ମଧ୍ୟରୁ କେବଳ ୧୦ ବେଙ୍ଗଲୁରର ନିମହନ୍ସରୁ ଚିହ୍ନଟ ହୋଇଛନ୍ତି। ୮ଜଣ ଦିଲ୍ଲୀର ଏନ୍‌ସିଡିସିରୁ ଚିହ୍ନଟ ହୋଇଥିବା ବେଳେ ନ୍ୟାସ୍‌ନାଲ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ପୁଣେରୁ ୫ ଜଣ କରୋନା କୋଭ୍-୨ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି। ସେହିପରି CCMB ହାଇଦ୍ରାବାଦରୁ ୩ ଓ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍‌ ଜେନୋମିକ୍ସ ଆଣ୍ଡ ଇଣ୍ଟରଗେଟିଭ୍‌ ବାୟୋଲୋଜି(IGIB) ନୂଆଦିଲ୍ଲୀରୁ ଦୁଇ ଏବଂ ଏନ୍‌ଆଇବିଏମ୍‌ଜି କଲ୍ୟାଣିରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

କରୋନାର ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ରୋକିବାକୁ ଜୋର୍‌ସୋର୍‌ ଲାଗିପଡ଼ିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ କଣ୍ଟାକ୍ଟ ଟ୍ରାସିଂକୁ ବ୍ୟାପକ କରାଯାଉଛି। ଏଥିପାଇଁ ପଜିଟିଭ୍‌ଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ସହଯାତ୍ରୀ ଓ ପରିବାରଲୋକଙ୍କୁ ଖୋଜାଚାଲିଛି।

ପରିସ୍ଥିତି ସାବଧାନତା ଅବଲମ୍ବନ କରାଯାଉଛି ଏବଂ INSACOG ଲ୍ୟାବରେ ନମୁନା ପଠାଇବା, ନିୟନ୍ତ୍ରଣ, ପରୀକ୍ଷା ଏବଂ ନମୁନା ପଠାଇବା ପାଇଁ ରାଜ୍ୟମାନଙ୍କୁ ନିୟମିତ ପରାମର୍ଶ ଦିଆଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି।

ଦେଶରେ ଏହି ଘଟଣାକୁ ଗୁରୁତର ସହ ନିଆଯାଇ ନୂଆ ପଜିଟିଭ୍‌ଙ୍କ ଉପରେ ନଜର ରଖାଯାଉଛି। ଏହାର ଭଲଭାବରେ ତଦାରଖ କରିବା ପାଇଁ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଆବଶ୍ୟକ ପଡ଼ିଲେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଓ ଟେଷ୍ଟିଂ ବଢ଼ାଇବା ସହିତ ସାମ୍ପଲ NSACOG ଲାବକୁ ପଠାଇବାକୁ ପରାମର୍ଶ ଦିଆଯାଥିବା ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଥିଲା।

ଭାରତକୁ ବ୍ୟତୀତ ଏପର୍ଯ୍ୟନ୍ତ ୧୩ଟି ଦେଶରେ କୋଭିଡ୍‌-୧୯ର ବ୍ରିଟେନ୍ ଭ୍ୟାରିଏଣ୍ଟ ବ୍ୟାପିଲାଣି। ଡେନ୍‌ମାର୍କ, ଦି ନେଦର୍‌ଲ୍ୟାଣ୍ଡ, ଅଷ୍ଟ୍ରାଲିଆ, ଇଟାଲୀ, ସ୍ୱେଡେନ୍‌, ଫ୍ରାନ୍ସ, ସ୍ପେନ୍,ସ୍ୱିଜର୍‌ଲ୍ୟାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲେବାନନ ଏବଂ ସିଙ୍ଗାପୁରରେ ସାର୍ସ କୋଭ୍-୨ ଚିହ୍ନଟ ହୋଇଛି।

ସରକାରୀ ତଥ୍ୟ ଅନୁସାରେ, ନଭେମ୍ବର ୨୫ ତାରିଖରୁ ଡିସମ୍ବର ୨୩ ତାରିଖ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ବ୍ରିଟେନ୍‌ରୁ ଆସିଥିବା ପାଖାପାଖି ୩୩ ହଜାର ଯାତ୍ରୀ ଭାରତର ବିଭିନ୍ନ ଏୟାରପୋର୍ଟରେ ଓହ୍ଲାଇଛନ୍ତି। ସେମାନଙ୍କର ଆର୍‌ଟି-ପିସିଆର୍ ଟେଷ୍ଟ କରିବା ପାଇଁ ସମସ୍ତ ଯାତ୍ରୀଙ୍କୁ ବର୍ତ୍ତମାନ ଖୋଜା ଚାଲିଛି।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବ୍ରିଟେନରୁ ଆସିଥିବା ନୂଆ ଭାଇରସ ଉପରେ ନଜର ରଖାଯାଇଛି। ଏହି ନୂଆ ପ୍ରକାର ଭାଇରସକୁ ଚିହ୍ନଟ କରିବା ଓ ଏହାକୁ ରୋକିବା ଦିଗରେ ସରକାର ଉଚିତ ପଦକ୍ଷେପ ନେଉଛନ୍ତି।

ପଦକ୍ଷେପ ସ୍ୱରୂପ ଡିସେମ୍ବର ୨୩ ମଧ୍ୟ ରାତ୍ରୀରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍‌ରୁ ଆସୁଥିବା ସମସ୍ତ ବିମାନ ଉପରେ ବ୍ୟାନ୍ ଲଗାଯାଇଛି। ଏବଂ ସମସ୍ତ ବ୍ରିଟେନ୍‌ ଫେରନ୍ତା ଯାତ୍ରୀମାନଙ୍କର ଆର୍‌ଟପିସିଆର୍‌ ଟେଷ୍ଟିଂ କରିବା  ବାଧ୍ୟତାମୂଳକ କରାଯାଇଛି। ଆର୍‌ଟିପିସିଆର୍‌ ଟେଷ୍ଟରେ ଯଦି ସମସ୍ତ ଯାତ୍ରୀ ପଜିଟିଭ୍ ଜଣାପଡ଼ନ୍ତି, ତେବେ ନିର୍ଦ୍ଧାରିତ ହୋଇଥିବା ସମସ୍ତ ୧୦ଟି ସରକାରୀ ଲାବରେ ସେମାନଙ୍କର ଜେନସ ସିକ୍ୟୁଏନ୍ସ ହେବ ବୋଲି ସ୍ୱାସ୍ତ୍ୟମନ୍ତ୍ରାଳୟ କହିଛି।

ତେବେ ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ବି ସାର୍ସ କୋଭ-୨ ପଜିଟିଭ ଚିହ୍ନଟ ହୋଇନାହାନ୍ତି। ବ୍ରିଟେନ୍ ଫେରନ୍ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲୁ ରହିଛି।

ଅନ୍ୟପଟେ ଗତକାଲି ତୁଳନାରେ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ୩୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ଚିହ୍ନଟ ୨୪୫ କରୋନା ପଜିଟିଭ ହୋଇଛନ୍ତି। ୨୪ ଜିଲ୍ଲାରୁ ଏହି କରୋନା ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୯ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୬ ଲୋକାଲ କେସ ଥିବା ଜଣାପଡ଼ିଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।  

You might also like