ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ଏସ୍ଓପି ଜାରି; କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ନୂଆ କରୋନା ଷ୍ଟ୍ରେନ୍ ସମ୍ପର୍କରେ ଜଣାପଡ଼ିବା ପରେ ବ୍ରିଟେନ୍ରୁ ଆସୁଥିବା ସମସ୍ତ ଫ୍ଲାଇଟ୍ ଉପରେ ଅସ୍ଥାୟୀ ଭାବେ ବ୍ୟାନ ଲଗାଇଛି ଭାରତ। ଏହି ବ୍ୟାନ୍ ଜାନୁଆରୀ ୭ ତାରିଖ ସନ୍ଧ୍ୟା ୮ଟାରେ ଉଠିଯିବ। ତେଣୁ କରୋନାର ନୂଆ ଷ୍ଟ୍ରେନ୍ ସଂକ୍ରମଣ ଭିତରେ ଯେଉଁଯାତ୍ରୀମାନେ ବ୍ରିଟେନ୍ରୁ ଆସିବେ ସେମାନଙ୍କ ପାଇଁ ଏସ୍ଓପି(ଷ୍ଟାଣ୍ଡାର୍ଡ ଅଫରେଟିଂ ପ୍ରସିଡିଓର) ଜାରି କରିଛନ୍ତି ସରକାର।
ବ୍ରିଟେନ୍ରୁ ବହୁତ କମ୍ ବିମାନକୁ ଉଡ଼ାଣ ପାଇଁ ଅନୁମତି ଦେବା ସହିତ ସମସ୍ତ ଯାତ୍ରୀଙ୍କର କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ବୋର୍ଡିଂ ହେବା ପର୍ବରୁ ସମସ୍ତ ଯାତ୍ରୀଙ୍କ ପାଖରେ କରୋନା ନେଗେଟିଭ୍ ରିପୋର୍ଟ ରହିଥିବା ଆବଶ୍ୟକ। ପଜିଟିଭ୍ ଥିଲେ ଯାତ୍ରୀଙ୍କୁ ବିମାନରେ ବୋର୍ଡିଂ ପାଇଁ ଅନୁମତି ମିଳିବନି ବୋଲି ଏସ୍ଓପିରେ କୁହାଯାଇଛି।
ଏହା ବାଦ୍ ସମସ୍ତ ବ୍ରିଟେନ୍ ଫେରନ୍ତା ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର୍ ଟେଷ୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ସେମାନେ ଭାରତର ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ନିଜ ଖର୍ଚ୍ଚରେ ଆର୍ଟିପିସିଆର୍ ଟେଷ୍ଟ କରିବେ ବୋଲି କେନ୍ଦ୍ର ସରକାର ଏସ୍ଓପି ଜାରି କରି କହିଛନ୍ତି।
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେଉଁ ଯାତ୍ରୀମାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ୧୪ ଦିନ ପାଇଁ କ୍ୱାରେଣ୍ଟିନ୍ରେ ରହିବେ। ସେହିପରି ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଏହି ଏସ୍ଓପି ଜାରି ରହିବ ଓ ଏହାପରେ କଣ ନିଷ୍ପତ୍ତି ନିଆଯିବ ସେ ନେଇ ଖୁବ୍ଶୀଘ୍ର ସୂଚନା ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏଥିସହିତ ସମସ୍ତ ବ୍ରିଟେନ୍ ଫେରନ୍ତା ଯାତ୍ରୀ ସେମାନଙ୍କର ୧୪ ଦିନର ଯାତ୍ରା ସମ୍ପର୍କରେ ସୂଚନା ଦେବେ। ୧୪ ଦିନ ପୂର୍ବେ ସେ କେଉଁଠିକି ଯାଇଥିଲେ, କେଉଁଠି ରହିଥିଲେ ଓ ଆସିଥିଲେ ସେ ସବୁର ସୂଚନା ଦେବେ। ଏନେଇ ସେଲ୍ଫ ଡିକ୍ଲାରେସନ୍ ଫର୍ମର ପୂରଣ କରିବେ।
ଏସ୍ଓପି ସମୟ ଜାନୁଆରୀ ୮ରୁ ଜାନୁଆରୀ ୩୦ ପର୍ଯ୍ୟନ୍ତ ବ୍ରିଟେନ୍ରୁ ଫେରୁଥିବା ସମସ୍ତ ଯାତ୍ରୀ ସେଲ୍ଫ ଡିକ୍ଲାରେସନ୍ ଫର୍ମକୁ ଦିଲ୍ଲୀ ବିମାନବନ୍ଦର ପୋର୍ଟାଲ୍ରେ ଅନ୍ଲାଇନ୍ ସବ୍ମିଟ କରିବେ। ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ଏହି ଘୋଷଣାନାମାକୁ ଅନ୍ଲାଇନ୍ରେ ସବ୍ମିଟ କରିବାକୁ ପଡ଼ିବ। ତା ସହିତ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ସବ୍ମିଟ କରିବାକୁ ହେବ। ସେହିପରି ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କର ନେଗେଟିଭ୍ ରିପୋର୍ଟ ଅଛି କି ନାହିଁ ସେ ନେଇ ସୁନିଶ୍ଚିତ କରିବାକୁ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ଏସ୍ଓପିରେ କୁହାଯାଇଛି “ବ୍ରିଟେନ୍ରୁ ଫେରିବା ପରେ ସମସ୍ତ ଯାତ୍ରୀ ଭାରତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ନିଜସ୍ୱ ଖର୍ଚ୍ଚରେ ଆର୍ଟିପିସିଆର୍ ଟେଷ୍ଟ କରିବେ। ଏହା ବାଧ୍ୟତାମୂଳକ।” ଏଥିସହିତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ବିମାନବନ୍ଦରରେ ଏହିସବୁ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ କେନ୍ଦ୍ର ସରକାର କହିଛନ୍ତି ” ଯେଉଁ ଯାତ୍ରୀମାନେ କରୋନା ପଜିଟିଭ୍ ଚିହ୍ନଟ ହେବେ ସେମାନେ ରାଜ୍ୟ ସରକାରଙ୍କର ତତ୍ୱାବଧାନରେ ଏକ ଆନୁଷ୍ଠାନିକ ସଂଗରୋଧ କେନ୍ଦ୍ରରେ ରହିବେ। ଏହାପରେ ସେମାନଙ୍କ ପଜିଟିଭ୍ ସମ୍ପଲ୍କୁ ରାଜ୍ୟ ସରକାର ସାର୍ସ କୋଭ-୨ ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ଲାବ୍କୁ ପଠାଇବେ।” ଯଦି ଜେନୋମିକ ସିକ୍ୟୁଏନ୍ସରେ ଯାତ୍ରୀଙ୍କ ଠାରେ କରୋନାର ନୂଆ ଷ୍ଟ୍ରେନ୍ (ସାର୍ସ କୋଭ୍-୨) ଥିବା ଜଣାପଡ଼ିବ ତେବେ ରୋଗୀ ସେହି ଆଇସୋଲେସନ କେନ୍ଦ୍ରରେ ରହିବେ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ନ ଆସିବା ପର୍ଯ୍ୟନ୍ତ ରୋଗୀ ଜଣକ ଆଇସୋଲେସନ୍ରେ ରହିବେ ବୋଲି ଏସ୍ଓପିରେ କୁହାଯାଇଛି।