ଫେବୃଆରୀ ୧ରୁ ୧୦୦% ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍

ନୂଆଦିଲ୍ଲୀ: ଶତପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍। ଫେବୃଆରୀ ୧ ଅର୍ଥାତ୍‌ ଆସନ୍ତାକାଲିଠୁ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ୍। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ଆଶା କରାଯାଉଛି। ଏହା ଦ୍ୱାରା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଓ ହଲ୍ ମାଲିକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।

କରୋନା ଯୋଗୁ ଗତବର୍ଷ ମାର୍ଚ୍ଚ ମାସରୁ ସିନେମା ହଲ୍ ବନ୍ଦ ଥିଲା। ଗତବର୍ଷ ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ। ଏବେ ଶତପ୍ରତିଶତ ଦର୍ଶକଙ୍କୁ ନେଇ ହଲ୍ ଖୋଲିବାକୁ ଅନୁମତି ମିଳିଛି। ତେବେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏସ୍ଓପି ଜାରି କରାଯାଇଛି।

  • ହଲ୍ ବାହାରେ, ଅପେକ୍ଷାଗୃହରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ପରସ୍ପରଠାରୁ ୬ ଫୁଟ୍ ଦୂରତା ବଜାୟ ରଖିବା ସହ ଫେସ୍ କଭର କିମ୍ବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
  • ହଲ୍ ପରିସରରେ ସାନିଟାଇଜର ରଖିବା ସହ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଟଚ୍ ଫ୍ରି ମୋଡ୍ କରିବା ପାଇଁ ଗାଇଡ୍‌ଲାଇନ୍ ଜାରି ହୋଇଛି।
  • ହଲ୍ ପରିସରରେ ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହେଲ୍‌ପ୍‌ଲାଇନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ହଲ୍ ପରିସରରେ ଛେପ ପକାଇବା ଉପରେ କଟକଣା ଲାଗିଛି।
  • ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ଦର୍ଶକଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଥାଉ କି, ଫେବୃଆରୀ ପାଇଁ ଗତକାଲି ଓଡ଼ିଶା ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ମାନି ସତର୍କତାର ସହ ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିପାରିବେ। ଫେବୃଆରୀରେ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ ଶହ ଲୋକଙ୍କୁ ଅନୁମତି ମିଳିପାରିବ। ଇଣ୍ଡୋର ହଲ୍‌ରେ କ୍ଷମତାର ୫୦ ପ୍ରତିଶତ ସିଟ୍ ପାଇଁ ଅନୁମତି ଦିଆଯିବ। ଏହି ନୂଆ ଗାଇଡ୍‌ଲାଇନ୍‌ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ କରାଯାଇଛି

You might also like