କଟକରେ ୨ ନର୍ସଙ୍କୁ କରୋନା, ସିଡିଏ ସେକ୍ଟର-୯ କଣ୍ଟେନମେଣ୍ଟ ଜୋନ୍

କଟକ: ରାଜଧାନୀ ଭୁବନେଶ୍ୱର ପରେ କଟକରେ ଚିନ୍ତା ବଢାଇଲାଣି କରୋନା। କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୨ ପଜିଟିଭ ଚିହ୍ନଟ। କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା। ୨ ନର୍ସ ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା। ୫୦ ଜଣଙ୍କର ନେଗେଟିଭ୍ ଆସିଥିବା ବେଳେ ୨ ନର୍ସଙ୍କ ପଜିଟିଭ ଆସିଛି। ପଜିଟିଭ ଜଣାପଡ଼ିବା ପରେ ୨ ନର୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେପଟେ କଟକ ସିଡିଏ ସେକ୍ଟର-୯ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସେକ୍ଟର ୯ ଆମ୍ବତୋଟା ଅଞ୍ଚଳରେ କିଛି ଅଂଶ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେକ୍ଟର-୯ର ପ୍ଲଟ ନଂ D-47ରୁ D-49 ଯାଏଁ ସାମନାରେ ଥିବା ରାସ୍ତା ସିଲ୍ ହୋଇଛି। ସେହିପରି ପଶ୍ଚିମରେ ପ୍ଲଟ ନଂ D-1ରୁ D-49 ସମ୍ମୁଖ ରାସ୍ତା ମଧ୍ୟ ବନ୍ଦ କରିଦିଆଯାଇଛି। ଉତ୍ତରରେ ପ୍ଲଟ ନଂ D-1ରୁ B-34 ଯାଏଁ ଆମ୍ବତୋଟା ରାସ୍ତାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ପୂର୍ବରେ ପ୍ଲଟ ନଂ B-35ରୁ A-46 ଯାଏଁ ପଛ ପଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହ ରାସ୍ତା ସିଲ୍ କରାଯାଇଛି।

ଆହୁରି ପଢ଼ନ୍ତୁ

You might also like