କରୋନା ବିସ୍ଫୋରଣ: ଦେଶରେ ଦୈନିକ ୨ ଲକ୍ଷ ଛୁଇଁଲା ସଂକ୍ରମଣ, ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଡାକ୍ତରମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ପୂର୍ବନୁମାନ କରିଥିଲେ ତା‘ଠାରୁ କାହିଁ କେତେ ଅଧିକ ଭୟଙ୍କର ରୂପ ନେଇ ଆସିଛି ମହାମାରୀ। ଦେଶର ସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୯୯ ହଜାର ୫୬୯ ରୋଗୀ ଚିହ୍ନଟ ହୋଇଛନ୍ତି। କରୋନା ମହାମାରୀ ବ୍ୟାପିବା ଦିନଠାରୁ  ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ ସଂଖ୍ୟା।

ସଂକ୍ରମିତଙ୍କ ସଂଖ୍ୟା ଅନୁସାରେ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୪ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ନୂଆ ମାମଲାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୦ ହଜାର ୩୦୦ରେ ପହଞ୍ଚିଛି। ଏହା ସହିତ ୧ ଲକ୍ଷ ୭୩ ହଜାର ୧୨୩ରେ ଜଣଙ୍କ ଜୀବନ ନେଇଛି କୋଭିଡ । ତେବେ ଚିନ୍ତାର ବିଷୟ, ପୂର୍ବାପେକ୍ଷା ସୁସ୍ଥ ହାର ହ୍ରାସ ପାଇଛି। ଏବେ ସୁସ୍ଥ ଲୋକଙ୍କ ହାର ହ୍ରାସ ପାଇ ୮୯.୫୧ରେ ପହଞ୍ଚିଛି। ଆକ୍ଟିଭ କେସ୍ ୧୪ ଲକ୍ଷ ୭୧ ହଜାର ଉପରେ ରହିଛି। ଦେଶରେ ଏପର୍ଯ୍ୟନ୍ତ ୧୧ କୋଟି ୪୪ ଲକ୍ଷ ୯୩ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବାର ସୂଚନା ମିଳିଛି।

ମହାରାଷ୍ଟ୍ରରେ  ଦିନକରେ ୫୮ ହଜାର ୯୫୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୭୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଜ୍ୟରେ କରୋନା ମହାମାରୀର ସ୍ଥିତିକୁ ଦେଖି ଗତକାଲି ରାତି ୮ଟାରୁ ପୁରା ମହାରାଷ୍ଟ୍ରରେ ଜାରି ହୋଇଛି ୧୪୪ ଧାରା । ଏହା ଆସନ୍ତା ୧୫ ଦିନ ପାଇଁ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଲେଇ ଅନ୍ୟ ସବୁ ବନ୍ଦ ରହିବ ।

ଅତ୍ୟାବଶ୍ୟକ ସେବା ଯୋଗାଣ କେବଳ ଇ କମର୍ସ ମାଧ୍ୟମରେ କରାଯାଇ ପାରିବ । ନିୟମ ଉଲଂଘନକାରୀଙ୍କଠାରୁ ଫାଇନ୍ ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୋଭିଡର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ମାରାତ୍ମକ ହେଉଥିବାରୁ ଉଦ୍ଧବ ଠାକରେ ସରକାର ରାଜ୍ୟରେ ପ୍ରଥମେ ନାଇଟ୍ କର୍ଫ୍ୟୁ ଏବଂ ଏବେ ୧୪୪ ଧାରା ଲାଗୁ କରିଛନ୍ତି । ସେପଟେ ରାଜସ୍ଥାନ ସରକାର ମଧ୍ୟ ରାଜ୍ୟର ସମସ୍ତ ସହରରେ ୧୫ ଦିନ ଲାଗି ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି।

ଦେଶରେ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହ ଭର୍ଚୁଆଲ ମୋଡରେ ଆଲୋଚନା କରିଛନ୍ତି। ଏହି ଅବସରରେ କୋଭିଡ୍ ନିୟନ୍ତ୍ରଣ ପାଇଁ ରାଜ୍ୟପାଳମାନେ ପଦକ୍ଷେପ ନେବାକୁ କହିବା ସହ ଟିକାକରଣ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।

ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇବା ଉପରେ କେନ୍ଦ୍ର ଗୁରୁତ୍ୱ ଦେଉଥିବା ମୋଦି କହିଥିଲେ ।  ଗତକାଲି ରାତି ୮ଟା ସୁଦ୍ଧା ସାରା ଦେଶରେ ଦୈନିକ ୩୧ ଲକ୍ଷ ୩୯ ହଜାର ଡୋଜ୍ ଭ୍ୟାକ୍ସିନ ଦିଆଯାଇଛି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୧୧କୋଟି ୪୩ ଲକ୍ଷ ଲୋକ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

You might also like