କରୋନାର କରୁଣ ଚିତ୍ର: ପିପିଇ କିଟ୍ ପିନ୍ଧି ସାଇକେଲରେ ବାପାଙ୍କ ମୃତଦେହ ବୋହିଲା ପୁଅ

ବଲାଙ୍ଗିର: କରୋନା ପାଇଁ ଧୀରେ ଧୀରେ ହଜିଯାଉଛି ମାନବିକତା। କେଉଁଠି ନିଜ ଲୋକ ପର କରିଦେଉଛନ୍ତି ତ ଆଉ କେଉଁଠି ମୃତଦେହକୁ ଚାରି କାନ୍ଧ ଦେବାକୁ କେହି ନାହାନ୍ତି। ସତେ ଯେମିତି ସଂକ୍ରମଣର ଭୟ ଲୋକଙ୍କ ମଧ୍ୟରେ ବାଡ଼ ସୃଷ୍ଟି କରିଛି। ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛିଦିନ ଧରି ଲଗାତାର ଭାବେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଆହୁରି ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ କରୋନାର କରୁଣ ଚିତ୍ର ଦେଖିବାକୁ ମିଳିଛି। ମୃତଦେହକୁ ଚାରି କାନ୍ଧ ଦେବାକୁ କେହି ନମିଳିବାରୁ ମୃତ ବାପାଙ୍କ ଶବକୁ ସତ୍କାର କରିବା ପାଇଁ ଏକା ଏକା ସାଇକେଲରେ ବୋହି ନେଲା ପୁଅ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନାନୁସାରେ, କିଛି ଦିନ ହେବ ଭାଲୁଡୁଙ୍ଗୁରୀ ଗାଁର ୫୫ ବର୍ଷୀୟ ଅଯୋଧ୍ୟା ସାହୁ ଜ୍ୱରରେ ପୀଡିତ ଥିଲେ । ଖପ୍ରାଖୋଲ ହସ୍ପିଟାଲରେ ସେ କରୋନା ଟେଷ୍ଟ କରାଇଥିଲେ ଓ ରିପୋର୍ଟ ପଜିଟିଭ ଆସିଥିଲା। ତେବେ ସନ୍ଧ୍ୟାରେ ଅଯୋଧ୍ୟାଙ୍କ ମୃତ୍ୟୁ ଘଟିଥିଲା। କରୋନାରେ ମୃତ୍ୟୁ ହୋଇଥିବାରୁ ବନ୍ଧୁବାନ୍ଧବ, ପରିବାର ସଦସ୍ୟ ଶବ ଛୁଇଁବାକୁ ମନା କରିଦେଇଥିଲେ ।

ଶେଷରେ ପୁଅ ଦାମୋଦର ପିପିଇ କିଟ୍ ପିନ୍ଧି ପଲିଥିନରେ ଗୁଡା ହୋଇଥିବା ବାପାଙ୍କ ଶବକୁ ସାଇକେଲରେ ଲୋଡ କରି ସତ୍କାର କରିବା ପାଇଁ ବାହାରିଥିଲେ। ଦୁଇ କିଲୋମିଟର ଜଙ୍ଗଲ ଭିତରକୁ ନେଇ ଦାମୋଦର ଶବକୁ ସତ୍କାର କରିଥିଲେ। ତେବେ ଏନେଇ ବେପାଲିସ କିମ୍ବା ପ୍ରଶାସନିକ ଅଧିକାରୀ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଥାଉକି, କରୋନା ଦୈନିକ ସଂକ୍ରମଣ ଗତ କିଛି ଦିନ ଧରି ୬ ହଜାର ଉପରେ ଥିବାବଳେ ଆଜି ବିସ୍ଫୋରକ ରୂପ ନେଇଛି । ଆଜି ରାଜ୍ୟରେ କରୋନା ସଂକ୍ରମଣ ୮ ହଜାର ଟପିଛି। ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ସେହିପରି ରାଜ୍ୟରେ କରୋନାରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

You might also like