୪୨ ଦିନରେ ସବୁଠାରୁ କମ୍‌ କରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି । ଗତ ୪୨ ଦିନରେ ସବୁଠାରୁ କମ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୫ ହଜାର ୬୮୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖ ୧ ଲକ୍ଷ ୮୫ ହଜାର ୩୦୬ ଜଣ ସଂକ୍ରମିତ ବାହାରିଥିଲେ ।

ସେହିପରି ଦୀର୍ଘଦିନ ପରେ ମୃତ୍ୟୁ ହାର ବି ସାମାନ୍ୟ କମିଛି । ୪ ହଜାର ତଳକୁ ଖସିଛି ମୃତ୍ୟୁ ହାର । ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୯୬ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ଆଶ୍ଵସ୍ତିର କଥା ଯେ, ଏହି ସମୟ ମଧ୍ୟରେ ୩ ଲକ୍ଷ ୨୬ ହଜାର ୬୭୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭ ଜଣ କରୋନା ରୋଗୀ ବାହାରିଲେଣି । ଏହି ମହାମାରୀ ୩ ଲକ୍ଷ ୩ ହଜାର ୭୨୦ ଜଣଙ୍କ ଜୀବନ ନେଲାଣି । ସେହିପରି ୨ କୋଟି ୩୭ ଲକ୍ଷ ୨୮ ହଜାର ରୋଗୀ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୭ ଲକ୍ଷ ୨୦ ହଜାର ୭୧୬ ଆକ୍ଟିଭ କେସ ରହିଛି ଯେଉଁମାନଙ୍କର ଚିକିତ୍ସା ଚାଲିଛି ।

ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡି ଆଦି ୧୦ଟି ରାଜ୍ୟରେ ୭୩ ପ୍ରତିଶତ ମୃତକ ଅଛନ୍ତି । ଦେଶରେ ପଜିଟିଭିିଟି ହାର ୧୨ ପ୍ରତିଶତ ଥିବାବେଳେ କରୋନା ଡେଥ ରେଟ ୧.୧୩ ରହିଛି । ରିକଭରି ରେଟ ୮୮ ପ୍ରତିଶତରୁ ଅଧିକ ରହିଛି । ଆକ୍ଟିଭ କେସ ହ୍ରାସ ପାଇ ୧୧ ପ୍ରତିଶତରେ ପହଞ୍ଚିଛି ।

ଆକ୍ଟିଭ କେସରେ ଭାରତର ସ୍ଥାନ ୨ୟ ସ୍ଥାନରେ ରହିଛି । ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ଭାରତ ୨ୟରେ ରହିଛି । ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଦେଖିଲେ, ଆମେରିକା, ବ୍ରାଜିଲ ପରେ ଭାରତର ସ୍ଥାନ ତୃତୀୟରେ ରହିଛି । ମହାରାଷ୍ଟ୍ରରେ ସୋମବାର ୨୨, ୧୨୨ ସଂକ୍ରମିତଙ୍କୁ ଠାବ କରାଯାଇଥିବାବେଳେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ୩.୨୭ ଲକ୍ଷ ରୋଗୀଙ୍କର ଚିକିତ୍ସା ଚାଲିଛି । ସେହିପରି ଦିଲ୍ଲୀରେ ୧୫୫୦ କରୋନା ପଜିଟିଭ ବାହାରିଥିବାବେଳେ ୪୩୭୫ ସୁସ୍ଥ ହୋଇ ଫେରିଛନ୍ତି । ୨୭ ଜଣଙ୍କର ମୃତ୍ୟୁ ଘଟିଛି ।

ଉତ୍ତର ପ୍ରଦେଶରେ ୩୮୯୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୫୩ ଜଣଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ୧୧, ୯୧୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସାରା ବିଶ୍ୱର କରୋନା ସଂକ୍ରମଣ ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଗତକାଲି ୪ ଲକ୍ଷ ୪୦ ହଜାର ୫୯୮ ଲୋକ କରୋନା ପଜିଟିଭ ବାହାରିଛନ୍ତି । ୮, ୮୧୭ ଜଣ ମହାମାରୀରେ ଜୀବନ ହାରିଛନ୍ତି ।

You might also like