ବଢ଼ୁଛି କରୋନା ସଂକ୍ରମଣ: ଆସନ୍ତାକାଲିଠୁ ଏହି ରାଜ୍ୟରେ ଲାଗୁ ହେବ କର୍ଫ୍ୟୁ

ବେଙ୍ଗାଲୁରୁ: ଆସନ୍ତାକାଲି ରାତି ୯ଟାରୁ କର୍ଣ୍ଣାଟକରେ କରୋନା କର୍ଫ୍ୟୁ ଲାଗୁ ହେବ। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି କଟକଣା ଲାଗୁ ହେବ। କଟକଣା ସମୟରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଜରୁରୀ ସେବାକୁ ଅନୁମତି ମିଳିବ। ସକାଳ ୧୦ଟା ପରେ ସବୁ ଦୋକାନ ବନ୍ଦ ରହିବ। କେବଳ ନିର୍ମାଣ, ଉତ୍ପାଦନ ଓ କୃଷିକ୍ଷେତ୍ର ସେକ୍ଟର ସହ ଜଡ଼ିତ କାର୍ଯ୍ୟକୁ ଅନୁମତି ମିଳିବ। ସାଧାରଣ ଯାତାୟାତ ବନ୍ଦ ରହିବ। ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦ୍ୟୁରପ୍ପା ଆଜି ଘୋଷଣା କରିଛନ୍ତି। କର୍ଣ୍ଣାଟକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଗତକାଲି କର୍ଣ୍ଣାଟକରେ ୩୪,୮୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ୨୯,୪୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ କର୍ଣ୍ଣାଟକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩.୩୯ ଲକ୍ଷରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪,୪୨୬ରେ ପହଞ୍ଚିଛି। କର୍ଣ୍ଣାଟକରେ ପଜିଟିଭ୍‌ ରେଟ୍‌ ପାଖାପାଖି ୨୦% ପହଞ୍ଚିଛି। ଅର୍ଥାତ୍‌ ପ୍ରତି ୫ ଜଣରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି।

ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗୋଟିଏ ଦିନରେ ୨,୮୧୨ ଜୀବନ ନେଇଛି ଏହି ମହାମାରୀ। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଥିବା ବେଲେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି ।

You might also like