ଚୀନ୍‌ ଲ୍ୟାବ୍‌ରୁ ବାହାରିଥିଲା କରୋନା ? ବିଶ୍ୱର ୧୮ ବଡ଼ ବୈଜ୍ଞାନିକ କହିଲେ ଏହାକୁ ଖଣ୍ଡନ କରାଯାଇନପାରେ !

ନୂଆଦିଲ୍ଲୀ: ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କରୋନା ଭୂତାଣୁ କେଉଁଠୁ ଆସିଲା ? ଏନେଇ କାହା ପାଖରେ ଠୋସ୍‌ ପ୍ରମାଣ ନାହିଁ । ତେବେ ବିଶ୍ୱର କିଛି ବଡ଼ ବଡ଼ ବୈଜ୍ଞାନିକଙ୍କ କହିବାନୁଯାୟୀ, ଚୀନ୍‌ ଲ୍ୟାବ୍‌ରୁ କରୋନା ଭାଇରସ୍‌ ଲିକ୍‌ ହେବା ଘଟଣାକୁ ନଜର ଅନ୍ଦାଜ କରାଯାଇପାରିବନି । ଯେତେ ଦିନ ପର୍ଯ୍ୟନ୍ତ ତଥ୍ୟକୁ ଆଧାର କରି ଏହି ଅଭିଯୋଗକୁ ଖଣ୍ଡନ କରାଯାଇ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଚୀନ୍‌ ସନ୍ଦେହ ଘେରରେ ରହିବ । ୨୦୧୯ ଶେଷରେ, ଚାଇନାରେ କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ସେବେଠାରୁ ସାରା ବିଶ୍ୱରେ ଏହି ଭୂତାଣୁ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦେଇ ସାରିଲାଣି । କୋଟି କୋଟି ଟଙ୍କାର ଅର୍ଥନୈତିକ କ୍ଷତି ଘଟିଛି ଏବଂ କୋଟି କୋଟି ଲୋକଙ୍କ ଜୀବିକା ଛଡ଼ାଇ ନେଇଛି ଏହି ଭାଇରସ୍‌ ।

କେମ୍ବ୍ରିଜ୍ ୟୁନିଭରସିଟିର କ୍ଲିନିକାଲ୍ ମାଇକ୍ରୋବିଓଲୋଜିଷ୍ଟ୍ ରବିନ୍ଦ୍ର ଗୁପ୍ତା ଏବଂ ଫ୍ରେଡ୍ ହଚିନ୍‌ସନ୍‌ କ୍ୟାନ୍ସର ଗବେଷଣା କେନ୍ଦ୍ରରେ ଜୀବାଣୁ ବିକାଶ ବିଷୟରେ ଅଧ୍ୟୟନ କରିଥିବା ଜେସି ବ୍ଲୁମ୍‌ଙ୍କ ସମେତ ୧୮ ଜଣ ବୈଜ୍ଞାନିକ କହିଛନ୍ତି ଯେ, ଏହି କରୋନା ମହାମାରୀର ଉତ୍ପତି କେଉଁଠାରୁ ହୋଇଛି ସେନେଇ ଅଧିକ ଗବେଷଣା କରିବା ଆବଶ୍ୟ । ବୈଜ୍ଞାନିକଙ୍କ ଗୋଷ୍ଠୀରେ ସାମିଲ ଷ୍ଟାନଫୋର୍ଡ ୟୁନିଭରସିଟିର ମାଇକ୍ରୋବାୟୋଲୋଜି ପ୍ରଫେସର ଡେଭିଡ୍‌ ରେଲମ୍ୟାନ୍‌ ସାଇନ୍ସ ଜର୍ଣ୍ଣାଲକୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଚୀନ୍‌ର ଲ୍ୟାବରୁ ଭାଇରସ୍‌ ଲିକ୍ ହେବା କିମ୍ବା ପଶୁମାନଙ୍କଠାରୁ  ଭାଇରସ୍‌ର ଉତ୍ପତି ହୋଇଥିବା ଥିଓରିକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇପାରିବ ନାହିଁ ।

ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ଉହାନରେ କରୋନା ଭୂତାଣୁର ଉତ୍ପତି ଏବଂ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରାଯାଇଥିବା ତଦନ୍ତ ପ୍ରକ୍ରିୟାରେ ସବୁ ଦିଗ ପ୍ରତି ସଠିକ୍‌ ଭାବେ ଧ୍ୟାନ ଦିଆଯାଇ ନାହିଁ । ଖାଲି ସେତିକି ନୁହେଁ ଲ୍ୟାବ୍‌ରୁ ଭାଇରସ୍‌ ଲିକ୍‌ ହେବା ନେଇ ଥିଓରିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱ ମଧ୍ୟ ଦିଆଯାଇନଥିଲା । ତେବେ ଏହି ଯାଞ୍ଚ ପାଇଁ ଚୀନ୍‌ର ଉହାନ ସହରରେ ପହଞ୍ଚିଥିବା ଡବ୍ଲୁଏଚ୍‌ଓ ଟିମ୍‌ ଚୀନ୍‌ ବୈଜ୍ଞାନିକଙ୍କ ସହ ମିଶି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲେ, ସେଥିରେ ଲେଖାଥିଲା ଯେ, କରୋନା ଭାଇରସ୍‌ ବାଦୁଡ଼ିଠାରୁ ବାହାରି ଅନ୍ୟ କୌଣସି ପଶୁ ଜରିଆରେ ମନୁଷ୍ୟ ଦେହରେ ପ୍ରବେଶ କରିଛି । ଜାନୁଆରୀ-ଫେବୃଆରୀରେ WHO ଦ୍ୱାରା ପ୍ରକାଶିତ ରିପୋର୍ଟରେ, ଲ୍ୟାବରୁ ଭାଇରସ୍‌ ଲିକ୍ ହେବା ଥିଓରିକୁ ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ଦର୍ଶାଯାଇଛି ।

You might also like