ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ବାହାରିଲେ ୩ ଲକ୍ଷ ୮୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା । ଦୈନିକ ସଂକ୍ରମଣ ଓ ଦୈନିକ ମୃତ୍ୟୁ  ଟ୍ରେଣ୍ଡର ସମସ୍ତ ରେକର୍ଡ ଭାଙ୍ଗିଛି କରୋନା । ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକରେ ସର୍ବାଧିକ ୩ ହଜାର ୬୪୫ ଜଣଙ୍କ ମୃତ୍ୟୁ ଘଟିଛି ।

ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪ ହଜାର ୮୩୨କୁ ବୃଦ୍ଧି ପାଇଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪କୁ ବୃଦ୍ଧି ପାଇଛି । ଏବେ ୩୦ ଲକ୍ଷ ୮୪ ହଜାର ୮୧୪  ଆକ୍ଟିଭ କେସ୍ ଥିବା ବେଳେ ଏଯାଏ ସୁସ୍ଥ ହେଲେଣି ୧ କୋଟି ୫୦ ଲକ୍ଷ ୮୬ ହଜାର ୮୭୮ ଜଣ। ଏଯାବତ ୧୫ କୋଟି ୨୦ ହଜାର ୬୪୮ ଡୋଜ୍ ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଜାତିସଂଘ ସହଯୋଗର ହାତ ବଢାଇଛି। ଜାତିସଂଘ ପ୍ରବକ୍ତାଙ୍କ ନିର୍ଦ୍ଦେଶ କ୍ରମେ WHO ଏବଂ UNICEFର ସହଯୋଗରେ ଭାରତକୁ ୭ ହଜାର ଅକ୍ସିଜେନ କନ୍ସେନ୍‌ଟ୍ରେଟର୍ସ, ୫୦୦ ନୋଜଲ ଡିଭାଇସ ସହ ଅକ୍ସିଜେନ ପ୍ରସ୍ତୁତ ହେଉଥିବା ଚାରା ପଠାଯାଇଛି। ମହାରାଷ୍ଟ୍ରର ବେକାବୁ ଅବସ୍ଥା ଦେଖିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମହାରାଷ୍ଟ୍ରରେ ମୋବାଇଲ ହସ୍‌ପଟାଲ ୟୁନିଟ୍‌, ଲ୍ୟାବ ଏବଂ ୨୬୦୦ ଫିଲ୍‌ଡ ଅଫିସର ପଠାଯାଇଛି।

ସୂଚନାଥାଉ କି,   ବର୍ତ୍ତମାନ ଦିଲ୍ଲୀରେ  ୨୪ ଘଣ୍ଟାରେ ୨୫, ୯୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୬୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୯୯, ୭୫୨ ସଂକ୍ରମିତ ହୋଇ ଥିବାବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୦, ୪୫୮। ଏବେ ଏଠାରେ ୫୩, ୮୧୬ ଜଣ ଚିକିତ୍ସିତ ହେଉଛନ୍ତି। ଏଠାରେ ମୃତ୍ୟୁ ହାର ୧.୩୯ ରହିଛି।

ମହାରାଷ୍ଟ୍ରରେ ମଧ୍ୟ କରୋନା ଯେମିତି ତାଣ୍ଡବ ସୃଷ୍ଟି କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ୯୮୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୬୩ ହଜାର ୩୦୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବୁଧବାର ଚିକିତ୍ସା ପରେ ୬୧, ୧୮୧ ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୪, ୭୬, ୪୯୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

 

You might also like