ଦେଶରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧,୩୪୧ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭୟଙ୍କର ରୂପ ନେଉଛି। ଦିନକୁ ଦିନ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ପ୍ରତିଦିନ କରୋନା ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟରୁ  ଜଣାଯାଇଛି, ଦିନକରେ ଦେଶରେ ୧୩୪୧ ଲୋକଙ୍କର ମୃତ୍ୟୁ ଘଟିଛି। ସେହପରି ୨୪ ଘଣ୍ଟାରେ ୨, ୩୪, ୬୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ରେ ପହଞ୍ଚିଛି।

ଏହି ସମୟ ଭିତରେ ଦେଶରେ ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ ଲୋକ ସୁସ୍ଥ ହୋଇ ଫେରିଛନ୍ତି। ଏବେ ଦେଶରେ ଆକ୍ଟିଭ କେସ ରହିଛି ୧୬ ଲକ୍ଷ ୭୯ ହଜାର ୭୪୦। ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦେଶରେ ଏହାର ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୭୫ ହଜାର ୬୪୯ରେ ପହଞ୍ଚିଛି।

ସବୁଠାରୁ ବେଶି ଚିନ୍ତା ବଢିଛି ମହାରାଷ୍ଟ୍ର ପାଇଁ। ଏଠାରେ କରୋନା ଯେମିତି କରାଳ ରୂପ ନେଇଛି। ୨୪ ଘଣ୍ଟାରେ ଏଠାରେ ୬୩, ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ସର୍ବାଧିକ ଦୈନିକ ସଂକ୍ରମଣ। ଏହାକୁ ମିଶାଇ ରାଜ୍ୟରେ ୩୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୩୯୮ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୯, ୫୫୧ ଛୁଇଁଛି।

ଦିଲ୍ଲୀରେ ଶୁକ୍ରବାର ୧୯, ୪୮୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୧୪୧ ଜଣଙ୍କର ମୃତ୍ୟୁ ଘଟିଛି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮, ୦୩, ୬୨୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୧୧, ୭୯୩ରେ ପହଞ୍ଚିଛି।

ସେହିପରି ଗୁଜରାଟରେ ଶୁକ୍ରବାର ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮, ୯୨୦ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୪୮, ୬୮୮ରେ ପହଞ୍ଚିଛି। ଆଜି ଦିନକରେ ଏଠାରେ ୯୪ ଆକ୍ରାନ୍ତଙ୍କ ମୃ୍ତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ମୃତ୍ୟୁ ୫, ୧୭୦ରେ ପହଞ୍ଚିଛି।

ପଶ୍ଚିମବଙ୍ଗରେ ଆଜି ବାହାରିଛନ୍ତି ୬,୯୧୦ ରୋଗୀ। ଏହାକୁ ମିଶାଇ ରାଜ୍ୟରେ କୋଭିଡ ୧୯ ସଂକ୍ରମିତଙ୍କ ସଂଖ୍ୟା୬, ୪୩, ୭୯୫ରେ ପହଞ୍ଚିଛି। ୨୪ ଘଣ୍ଟାରେ ୨୬ ରୋଗୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦, ୫୦୬ରେ ପହଞ୍ଚିଛି।

 

You might also like