ଏଥର କରୋନାରୁ ମିଳିବ ମୁକ୍ତି: ବାହାରିଲା ଔଷଧ

ନୂଆଦିଲ୍ଲୀ: କରୋନା ମୁକ୍ତିର ଆଶା ଉଜ୍ଜ୍ୱଳ ହେଲା। କରୋନାରୁ ମୁକ୍ତି ପାଇବା ପାଇଁ ବାହାରିଲା ମେଡିସିନ୍।‌ ଭାରତୀୟ କମ୍ପାନୀ ଗ୍ଲେନମାର୍ଗ ଫାର୍ମାସ୍ୟୁଟିକାଲସ କୋଭିଡ-୧୯ ପାଇଁ ବାହାରି କରିଛି ଔଷଧ। ସାମାନ୍ୟ ଏବଂ ସାମାନ୍ୟରୁ ଅଧିକ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହି ଔଷଧ ‘ଫେବିପିରାବିର’ ସଞ୍ଜୀବନି ପରି କାମ ଦେବ ବୋଲି ଗବେଷକମାନେ ଦାବି କରିଛନ୍ତି। କମ୍ପାନୀ ଫେବିଫ୍ଲୁ ବ୍ରାଣ୍ଡର ଏହି ଔଷଧ ବିଷୟରେ ଶନିବାର ସୂଚନା ଦେଇଛି।

ତେବେ କରୋନା ଭାଇରସ ପାଇଁ ଏହି ଔଷଧକୁ ରାମବାଣ ବୋଲି ଭାବିବା ଉଚିିତ୍‌ ନୁହେଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଔଷଧ ଚିକିତ୍ସା ପାଇଁ ସାହଯ୍ୟ କରିବ ଏବଂ ଭାଇରସର ପ୍ରଭାବକୁ କମାଇବାରେ ସାହାଯ୍ୟ କରିବ। ତେବେ ଏହି ଔଷଧ ରୋଗ ନିରାକରଣରେ କେତେ ମାତ୍ରାରେ ସହାୟକ ହେବ ଆଗାମୀ ଦିନରେ ତାହା ଜଣାପଡ଼ିବ।

କମ୍ପାନୀ ପକ୍ଷରୁ ଏଡି ଔଷଧର ଦାମ୍ ୧୦୩ ଟଙ୍କା ରଖାଯାଇଛି। ଗବେଷକଙ୍କ କହିବା ଅନୁଯାୟୀ, କୋଭିଡ-୧୯ର ଚିକିତ୍ସା ପାଇଁ ଏହା ଫେବିପିରାବିର ପ୍ରଥମ ବଟିକା ଯାହାକୁ ଭାରତୀୟ ଔଷଧ ମହାନିୟନ୍ତ୍ରଣ (ଡିସିସିଆଇ) ସ୍ୱୀକୃତି ଦେଇଛି।

ଡା.ବିକାଶ ମୌର୍ଯ୍ୟାଙ୍କ କହିବା ଅନୁଯାୟୀ, ଜାପାନରେ ଇନ୍‌ଫ୍ଲୁଏଞ୍ଜା ପାଇଁ ଏହି ଔଷଧକୁ ପ୍ରଥମେ ବ୍ୟବହାର କରାଯାଉଥିଲା। ରେମଡେସିଭିର ଏବଂ ଫେବିପିରାବିର ପରି ଭାଇରସ ପ୍ରତିରୋଧକ ଔଷଧ ବିଶେଷ ଭାବେ କୋଭିଡ-୧୯ ଚିକିତ୍ସା ପାଇଁ ନୁହେଁ। ଏହା ଇନ୍‌‌ଫ୍ଲୁଏଞ୍ଜା ପାଇଁ ବ୍ୟବହାର କରାଯାଉଥିଲା। ମୌର୍ଯ୍ୟାଙ୍କ କହିବା ଅନୁଯାୟୀ, ଅଧ୍ୟୟନରୁ ଏକଥା ଜଣାଯାଇଛି ଯେ, କୋଭିଡ-୧୯ ଚିକିତ୍ସା ପାଇଁ ବି ଏହି ଔଷଧ ବେଶ ଉପଯୋଗୀ।

ସେ ଏକଥା କହିଛନ୍ତି ଯେ, କୋଭିଡ-୧୯ ସଂକ୍ରମିତ ହେବାର ପ୍ରାରମ୍ଭିକ ସ୍ତରରେ ଯଦି  ରୋଗୀଙ୍କୁ ଏହି ଔଷଧ ଦିଆଯାଏ ତେବେ ଭାଇରସର ପ୍ରଭାବ ହ୍ରାସ ପାଏ। ଏହାସହିତ ସଂକ୍ରମଣ ବୃଦ୍ଧିକୁ ମଧ୍ୟ ଏହା ରୋକିଥାଏ।

ଗଙ୍ଗାରାମ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଅରବିନ୍ଦ କୁମାରଙ୍କ କହିବା ଅନୁଯାୟୀ, ନୂଆକରି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣେ ରୋଗୀଙ୍କୁ ପ୍ରଥମ ଦିନରେ ୧୮୦୦ ମିଲିଗ୍ରାମର ଦୁଇଟି ଡୋଜ୍‌ ନେବାକୁ ପଡ଼ିବ। ଏହା ପରେ ୧୪ ଦିନ ପର୍ଯ୍ୟନ୍ତ ୮୦୦ ମିଲିଗ୍ରାମର ଦୁଇଟି ଡୋଜ୍‌ ପ୍ରତିଦିନ ନେବାକୁ ପଡ଼ିବ। ଏହାର ଗୋଟିଏ ବଟିକାର ଦାମ୍‌ ୧୦୩ ଟଙ୍କା ରହିଥିବାବେଳେ ୩୪ଟି ବଟିକା ଥିବା ଗୋଟିଏ ଷ୍ଟ୍ରିପ୍‌‌ର ଦାମ୍‌ ୩୫୦୦ ଟଙ୍କା ରହିଛି। ତେବେ ଏହି ଔଷଧର ସବୁଠାରୁ ଉପାଦେୟ ଦିଗ ହେଲା, ସ୍ୱଳ୍ପ ସଂକ୍ରମିତ ଥିବା ରୋଗୀ ମଧୁମେହ, ହୃଦ୍‌ରୋଗ ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିଲେ ବି ଏହି ଔଷଧ ସେବନ କରିପାରିବେ। ଶରୀର ଉପରେ ଏହାର କୌଣସି ନକାରାତ୍ମକ ପ୍ରଭାବ ନାହିଁ। ଭାରତର ହିମାଚଳ ପ୍ରଦେଶରେ ଏହି ଔଷଧ ଉତ୍ପାଦନ କରାଯାଉଛି।

ଆହୁରି ପଢ଼ନ୍ତୁ

You might also like