କରୋନାର ୫ ନୂଆ ବିପଦପୂର୍ଣ୍ଣ ଲକ୍ଷଣ, ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ..

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମଣ ଏବେ ସବୁ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହେବାରେ ଲାଗିଛି। ଡାକ୍ତରଙ୍କ କହିବାନୁସାରେ, ନୂଆ କରୋନା ଷ୍ଟ୍ରେନ୍ କେବଳ ଅଧିକ ମାତ୍ରାରେ ସଂକ୍ରାମଣ ହେଉଛି ତାହା ନୁହେଁ ବରଂ ଅନେକ ଗମ୍ଭୀର ଲକ୍ଷଣ ମଧ୍ୟ ଦେଖାଯାଉଛି। କିଛି ଲୋକ ନିଜ ଘରେ ଏହାର ଚିକିତ୍ସା କରି ସୁସ୍ଥ ହେଉଛନ୍ତି ଏବଂ କିଛି ଲୋକଙ୍କ ସ୍ଥିତି ଗମ୍ଭୀର ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

କରୋନା ସଂକ୍ରମଣ ବଢ଼ୁଥିବା ସମୟରେ ଯଦି ଆପଣଙ୍କଠାରେ ଏହି ୫ଟି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ମେଡିକାଲ ଯାଆନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଲକ୍ଷଣଗୁଡ଼ିକ ହେଲା:-

୧.ଶ୍ୱାସକ୍ରିୟାରେ ଅନିୟମିତତା
ଶ୍ୱାସକ୍ରିୟା ବେଳେ କୌଣସି ପ୍ରକାର ଅସୁବିଧା କିମ୍ବା ଛାତିରେ ଯନ୍ତ୍ରଣା ହେବା, କରୋନା ସଂକ୍ରମଣର ଏକ ବିପଦପୂର୍ଣ୍ଣ ଲକ୍ଷଣ। କରୋନା ଜୀବାଣୁ ଏକ ରେସ୍ପିରେଟାରୀ ଇନଫେକ୍ସନ, ଯାହା ଆମ ଫୁସଫୁସକୁ ପ୍ରଭାବିତ କରିଥାଏ। ଯେତେବେଳେ ଜୀବାଣୁ ଫୁସଫୁସକୁ ଆକ୍ରମଣ କରେ, ସେତେବେଳେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ଏହାସହ ଜୀବନ ପ୍ରତି ବିପଦ ମଧ୍ୟ ବଢ଼ିଥାଏ।

୨. ଅମ୍ଳଜାନ ସ୍ତର ହ୍ରାସ ହେବା ବିପଜ୍ଜନକ
କରୋନା ସଂକ୍ରମିତ ହେଲେ ଶରୀରର ଅମ୍ଳଜାନ ସ୍ତର ଯଥେଷ୍ଟ କମିଯାଏ। ଏହାର କାରଣ ହେଉଛି କରୋନା ସଂକ୍ରମିତ ରୋଗୀଙ୍କ ଫୁସଫୁସର ଏୟାର ବ୍ୟାଗରେ ଫ୍ଲୁଡ୍ ଭରିଯାଇଥାଏ। ଯେଉଁଥିପାଇଁ ଶରୀରରେ ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ହେବାକୁ ଲାଗେ। ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବା ଅତ୍ୟନ୍ତ ଜରୁରୀ।

୩.ଚେତା ହରାଇବା ଭଳି ଲାଗିବା
କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍ ସିଧାସଳଖ ମସ୍ତିଷ୍କ ଉପରେ ଆକ୍ରମଣ କରୁଛି। କରୋନା ଜୀବାଣୁ, ଅନେକ ରୋଗୀଙ୍କ କ୍ଷେତ୍ରରେ ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥିବା ଦେଖାଯାଇଛି। ଏହି କାରଣରୁ ରୋଗୀଙ୍କଠାରେ ଅଳସୁଆ ପଣ, ଅସ୍ଥିରତା ଏବଂ ଚେତା ହରାଇବା ଭଳି ଲକ୍ଷଣ ଦେଖାଯାଇଥାଏ। ଯଦି କଥାବାର୍ତ୍ତା ହେବା ସମୟରେ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଏଭଳି ଲକ୍ଷଣକୁ ଆଦୌ ହାଲୁକା ଭାବେ ନେବା ଉଚିତ ନୁହେଁ।

୪. ଛାତିରେ ଯନ୍ତ୍ରଣା
କରୋନା ଜୀବାଣୁ ସିଧାସଳଖ ଫୁସଫୁସ ଉପରେ ଆକ୍ରମଣ କରେ। ଯେଉଁ କାରଣରୁ ଛାତିରେ ଯନ୍ତ୍ରଣା ହେବାର ସମ୍ଭାବନା ଅଧିକ ରହିଛି। SARS-COV2 ଅନେକ କ୍ଷେତ୍ରରେ ଫୁସଫୁସର ମ୍ୟୁକୋସଲ ଲାଇନିଂ ଉପରେ ଆକ୍ରମଣ କରିଥାଏ। ଏହି କାରଣରୁ ଛାତିରେ ଜଳାପୋଡ଼ା ଅନୁଭବ ହଇଥାଏ। ଏପରି ସମସ୍ୟା ଥିଲେ ମଧ୍ୟ ତୁରନ୍ତ ଡାକ୍ତରଖାନା ଯିବା ଉଚିତ୍।

୫. ଓଠରେ କିମ୍ବା ମୁହଁରେ ନୀଳ ଦେଖାଗଲେ
କରୋନା ପଜିଟିଭ୍ ରୋଗୀର ଓଠ ଏବଂ ମୁହଁ ସାମାନ୍ୟ ନୀଳ ରଙ୍ଗର ଦେଖାଯାଏ। ଏହାର ଅର୍ଥ ହେଉଛି କରୋନା ରୋଗୀର ଶରୀରରେ ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ପାଇସାରିଛି। ଯାହାକୁ ଡାକ୍ତରୀ ଭାଷାରେ ହାଇପୋକ୍ସିଆ କୁହାଯାଏ। ହାଇପୋକ୍ସିଆରେ ଆମ ଟିସୁକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଳିପାରି ନଥାଏ। ଯେଉଁ କାରଣରୁ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବାରେ ସକ୍ଷମ ହୁଏ ନାହିଁ ଏବଂ ମୁହଁ ଏବଂ ଓଠରେ ନୀଳ ଚିହ୍ନ ସୃଷ୍ଟି ହେବାକୁ ଲାଗେ।

You might also like