ଶରୀରର କେଉଁ ସ୍ଥାନରେ ଦିଆଯିବ କରୋନା ଟିକା ?
ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସାରା ଦେଶରେ ଆରମ୍ଭ ହୋଇପାରେ କୋଭିଡ୍ ଟିକାକରଣ। ଆଜି ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଆସନ୍ତା ୮ ତାରିଖ ସୁଦ୍ଧା ଟିକାଦାନ କେନ୍ଦ୍ର ଚିହ୍ନଟ କରି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନଗୁଡ଼ିକୁ ଚିଠି ଲେଖିଛି। ତେଣେ କୋଭିଡ୍ ଟିକାକୁ ନେଇ ଲୋକଙ୍କ ମନରେ ବାରମ୍ବାର ଆସୁଥିବା ପ୍ରଶ୍ନକୁ ନେଇ FAQ ଓ ତାର ଉତ୍ତର ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ଅପେକ୍ଷାର ଅନ୍ତ। ଖୁବ୍ଶୀଘ୍ର ଆରମ୍ଭ ହେବ କରୋନା ଟିକାକରଣ। ୧୦ ଦିନ ଭିତରେ କୋଭିଡ୍ ଭ୍ୟାକ୍ସିନେସନ ଆରମ୍ଭ ହେବାର ସମ୍ଭାବନା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ପ୍ରେସ୍ମିଟ୍ରେ ଏହି ସୂଚନା ଦିଆଯାଇଛି। ପୂର୍ବରୁ ସବୁ ରାଜ୍ୟରେ ସଫଳତାର ସହ ଟିକାକରଣର ପୂର୍ବାଭ୍ୟାସ କରାଯାଇଥିଲା।
ସାରା ଦେଶରେ ଆଗାମୀ ୧୦ ଦିନ ଭିତରେ କରୋନା ଟିକାକରଣ ଆରମ୍ଭ ହୋଇପାରେ। ସାରା ଦେଶରେ ୩୭ଟି ଜାଗାରେ ଟିକା ଷ୍ଟୋର କରାଯାଇଛି। ସେଠାରୁ ଟିକା ପର୍ଯ୍ୟାୟକ୍ରମେ ବିତରଣ କରାଯିବ। ଟିକା ନେବା ପାଇଁ ସ୍ୱାସ୍ଥ୍ୟ କର୍ମୀ ରେଜିଷ୍ଟ୍ରେସନ କରିବା ଅନାବଶ୍ୟକ। ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ରେଜିଷ୍ଟ୍ରେସନ କରିବା ଅନାବଶ୍ୟକ। ସେମାନଙ୍କ ଡାଟାବେସ୍ ସରକାରଙ୍କ ପାଖରେ ଅଛି।
-ରାଜେଶ ଭୂଷଣ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
- ସେପଟେ କୋଭିଡ୍ ଟିକାକରଣ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଟିକା ନେଇ ଦ୍ୱନ୍ଦ୍ୱ ବି ରହିଛି ବାରମ୍ବାର ପଚରା ଯାଉଥିବା କିଛି ପ୍ରଶ୍ନ ବା FAQ ଉପରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର।
ଯେମିତିକି…
ପ୍ରଶ୍ନ ୧- ଭ୍ୟାକସିନ୍ ବିପଦମୁକ୍ତ କି?
ଏହା ବିପଦମୁକ୍ତ ଓ ଗୁଣବତ୍ତା ବି ରହିଛି
୨- ଭ୍ୟାକସିନ୍ ନେବା ବାଧ୍ୟତାମୂଳକ କି?
ନା, ଏହା ବାଧ୍ୟତାମୂଳକ ନୁହେଁ , ସ୍ୱେଚ୍ଛାକୃତ
୩- କରୋନାରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ଟିକା ନେଇପାରିବେ କି?
ହଁ, ନେଇପାରିବେ
୪- କୋଭିଡ୍ ଆକ୍ରାନ୍ତ ବା କୋଭିଡ୍ ସନ୍ଦିଗ୍ଧ ଟିକା ନେଇ ପାରିବେ କି?
ନେଇପାରିବେ, କିନ୍ତୁ ୧୪ ଦିନ ପରେ
୫- ବିନା ପଂଜୀକରଣରେ ଟିକା ଦିଆଯାଇ ପାରିବ କି?
ନା, ଟିକାକରଣ ପାଇଁ ପଂଜୀକରଣ ବାଧ୍ୟତାମୂଳକ
୬- କୋଭିଡ୍ ଟିକାର ସମ୍ଭାବ୍ୟ ସାଇଡ୍ ଇଫେକ୍ଟ କଣ?
ଅନ୍ୟ ଟିକା ଭଳି ଏଥିରେ ବି ସାମାନ୍ୟ ଜ୍ୱର ହୋଇପାରେ
୭- କେତେ ଡୋଜ୍ ଆବଶ୍ୟକ ଓ ଏହା ମଧ୍ୟରେ ବ୍ୟବଧାନ କେତେ ରହିବା ଆବଶ୍ୟକ?
ମୋଟ୍ ଦୁଇ ଡୋଜ୍ ଓ ୨୮ ଦିନ ବ୍ୟବଧାନ ଆବଶ୍ୟକ
୮- କେତେଦିନ ପରେ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେବ?
ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଆଣ୍ଟିବଡି ସୃଷ୍ଟି ହେବ
କୋଭିଡ୍ ଟିକା ବାହୁରେ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେପଟେ ଟୀକାକରଣ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଆସନ୍ତା ୮ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍ ଟିକାଦାନ କେନ୍ଦ୍ର ଚିହ୍ନଟ କରିବାକୁ ଜିଲ୍ଲାପାଳ ଓ ୫ ମହନାଗର ନିଗମର କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ। ଏଣେ ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି, ଭୁବନେଶ୍ୱରର ୧୮ଟି ପ୍ରମୁଖ ହସ୍ପିଟାଲ, ୨୬ଟି ପିଏଚସି ଓ ସିଏଚସି ଟୀକାକରଣ ଲାଗି ଚିହ୍ନଟ ହୋଇଛି।