ଦେଶରେ କମୁନି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୪୪୫୪ ଆଖି ବୁଜିଲେ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରର ପ୍ରକୋପ ଆସ୍ତେ ଆସ୍ତେ କମି କମି ଆସୁଛି । ମେ’ ଆରମ୍ଭରେ କରୋନା ସଂକ୍ରମଣ ସଂଖ୍ୟା ଡରାଉଥିଲା । ହେଲେ ଶେଷ ଆଡ଼କୁ ସଂଖ୍ୟାରୁ ଆଶ୍ଵସ୍ତି  ମିଳିଛି । ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।

ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨, ୨୨, ୩୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ୪୪୫୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଆଜିର ସଂଖ୍ୟାକୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭ରେ ପହଞ୍ଚିଲା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୨୭ ଲକ୍ଷ ୨୦ ହଜାର ୭୧୬ ଜଣ ଚିକିତ୍ସାଧୀନ ଅଛନ୍ତି ।୨ କୋଟି ୩୭ ଲକ୍ଷ ୨୮ ହଜାର ୧୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୩ ଲକ୍ଷ ୩ ହଜାର ୭୨୦ ଜଣଙ୍କର କରୋନରେ ମୃତ୍ୟୁ ଘଟିସାରିଛି ।

ଅନ୍ୟପକ୍ଷେ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମିବାରେ ଲାଗିଛି । ମହାରାଷ୍ଟ୍ରରେ ରବିବାର ୨୬ ହଜାର ୬୭୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫, ୨୯, ୮୯୭ରେ ପହଞ୍ଚିଛି । ଏଥି ସହିତ ୫୯୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୮୮, ୬୨୦ରେ ପହଞ୍ଚିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧, ୪୦, ୨୭୨ ଜଣ କରୋନା ମୁକ୍ତ ଓ ୩, ୪୮, ୩୯୫ ରୋଗୀ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି । ମୁମ୍ବାଇ ମହାନଗରୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୪୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୪୯ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧ ୧୪,୫୬୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ସେହିପରି ତେଲେଙ୍ଗାନାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୪୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।

You might also like