ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା

  • ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ
  • କୋଭିଡ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା
  • ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ

ମୋରଦାବାଦ: ଅକ୍ସିଜେନ ଅଭାବରୁ ଗତ କିଛିଦିନ ହେବ ଦେଶରେ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏସବୁ ଭିତରେ ଉତ୍ତରପ୍ରଦେଶରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟି ଥିବାବେଳେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଛନ୍ତି।

ଉତ୍ତରପ୍ରଦେଶ ମୋରଦାବାଦ ସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅକ୍ସିଜେନ ଅଭାବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖବର ଜଣାପଡିବା ପରେ ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲ ପରିସରରେ ପହଞ୍ଚି ହଙ୍ଗାମା କରିଥିଲେ। ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟିଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଥିବା ବେଳେ ହସ୍ପିଟାଲରେ ଅକ୍ସିଜେନର କୌଣସି ଅଭାବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସେପଟେ ଲକ୍ଷ୍ନୌ ସ୍ଥିତ ଏକ କୋଭିଡ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ଜଣକ ହେଲେ ସୀତାପୁର ଜିଲ୍ଲା ଜୁଦାଇପୁରର ୩୨ ବର୍ଷୀୟ କମଲ କିଶୋର।

ସୂଚନା ଅନୁସାରେ, ଏପ୍ରିଲ ୨୪ରେ କମଲ ପିଜିଆଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର କୀଡନି ଜନିତ ସମସ୍ୟା ମଧ୍ୟ ଥିଲା। କମଲଙ୍କ ୨ଟି ଯାକ କୀଡନି ଖରାପ ହୋଇଯାଇଥିଲା। ଏପ୍ରିଲ ୧୬ରେ ସେ କରୋନା ପଜିଟିଭ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ତାଙ୍କର କୋଭିଡ ଚିକିତ୍ସା ସହ Dialysis ମଧ୍ୟ ଜାରି ରହିଥିଲା। ଆଜି ସକାଳେ ସେ ବାଥରୁମର ଝରକା ଖୋଲି ତଳକୁ ଡେଇଁ ପଡିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକରେ ସର୍ବାଧିକ ୩ ହଜାର ୬୪୫ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪ ହଜାର ୮୩୨କୁ ବୃଦ୍ଧି ପାଇଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪କୁ ବୃଦ୍ଧି ପାଇଛି ।

You might also like