କାମ କରୁଥିବା ସ୍ଥାନରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳୀରେ ଟିକାକରଣକୁ ଅନୁମତି ଦେଲେ କେନ୍ଦ୍ର ସରକାର। ୧୦୦ ଜଣରୁ ଅଧିକ ହିତାଧିକାରୀ ଥିଲେ କାର୍ଯ୍ୟସ୍ଥଳୀରେ ଟିକା ଦିଆଯାଇପାରିବ। ଏପ୍ରିଲ ୧୧ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସରକାର କହିଛନ୍ତି, ଯେଉଁ ଅଫିସରେ ୧୦୦ରୁ ଅଧିକ ହିତାଧିକାରୀ ଥିବେ, ସେଠାରେ ହିଁ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହାୟତାରେ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇପାରିଛି।

ହିତାଧିକାରୀମାନେ ମଧ୍ୟ ଏହାକୁ ନେବାରେ କୌଣସି କୁଣ୍ଠାବୋଧ ପ୍ରକାଶ କରୁନାହାନ୍ତି। ଏବେ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟସ୍ଥଳୀରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଯେଉଁଠାରେ ୧୦୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ଥିବେ, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ କରିବେ। ଅଫିସରେ ହିଁ ଟିକାକରଣ କେନ୍ଦ୍ର ହେବ ଓ ଅଫିସର ଯୋଗ୍ୟ ହିତାଧିକାରୀ ସେଠାରେ ଟିକା ନେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଥିଲେ ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟସେବାର ସୁରକ୍ଷା। ଏହି ଦୁଇଟି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ଟିକା ଦିଆଯାଉଛି। ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ନୁହେଁ, ବରଂ ଯେଉଁମାନଙ୍କ ଆବଶ୍ୟକ ସେମାନଙ୍କୁ ଟିକା ଦିଆଯାଉଛି।

ଦେଶବ୍ୟାପୀ କରୋନା ସ୍ଥିତି ଭୟଙ୍କର ହେଲାଣି। ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗି ଆଜି ଦୈନିକ ସଂକ୍ରମଣ ୧ ଲକ୍ଷ ୧୫ ହଜାର ୭୩୬ରେ ରହିଛି। ଏହାପୂର୍ବରୁ ଗତ ୪ ତାରିଖରେ ଚିହ୍ନଟ ହୋଇଥିଲେ ୧ ଲକ୍ଷ ୩ ହଜାର ୫୫୮ ରୋଗୀ। ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୬୬ ହଜାର ୧୭୭କୁ ଛୁଇଁଛି। ଅନ୍ୟପକ୍ଷେ ଦେଶରେ ବୁଧବାର ସୁଦ୍ଧା ଦେଶରେ ଟିକା ନେଇଥିଲେ ୮, ୭୦, ୭୭, ୪୭୪।

ସୂଚନାଥାଉ କି, ଏପ୍ରିଲ ୧ରୁ ୪୫ ବର୍ଷ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି।  ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ୧୮ବର୍ଷରୁ ଅଧିକ ସମସ୍ତଙ୍କ  ପାଇଁ ଟିକା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । କରୋନା ସଂକ୍ରମଣର ଦ୍ୱିତୀୟ ୱେଭ ଆସିଥିବାରୁ ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି ସଂଘ ଦାବି କରିଛି। ସେପଟେ ଦାବି ନୁହେଁ ଜରୁରୀ ଆବଶ୍ୟକତା ଅନୁସାରେ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି

You might also like