କୋଭିଡ୍ ଡ୍ୟୁଟିରେ ବଲିଉଡ୍‌ ସେଲିବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍

ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ପୁଣିଥରେ ଏହାର କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ମୃତ୍ୟୁହାର ମଧ୍ୟ ବଢ଼ୁଛି। ସବୁଠାରୁ ଚିନ୍ତାଜନକ ବିଷୟ, କରୋନାର ଏହି ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ଭୟଙ୍କର। ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି।

କୋଭିଡ୍ ଡ୍ୟୁଟିରେ ବଲିଉଡ୍‌ ସେଲିବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍। ସୁଟିଂ ବେଳେ ବଲିଉଡ୍‌ କଳାକାରଙ୍କ ବିଶ୍ରାମ ପାଇଁ ବ୍ୟବହୃତ ଭ୍ୟାନିଟି ଭ୍ୟାନ୍ ଏବେ କରୋନା ସମୟରେ ପୋଲିସ କର୍ମଚାରୀଙ୍କ କାମରେ ଆସୁଛି। ମାୟା ନଗରୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ରାସ୍ତାକଡ଼ରେ ରଖା ଯାଇଛି ଭ୍ୟାନିଟି ଭ୍ୟାନ୍। ମାତ୍ର ବଲିଉଡ୍ ସେଲିବ୍ରିଟିଙ୍କ ବଦଳରେ ଭ୍ୟାନ୍ ଭିତରେ ବିଶ୍ରାମ କରୁଛନ୍ତି ପୋଲିସ କର୍ମଚାରୀ।

ମୁମ୍ବାଇର ଜଣେ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ନିଜ ଭ୍ୟାନିଟି ଭ୍ୟାନ୍ ରଖିବା ସହ ବିନା ମୂଲ୍ୟରେ ପୋଲିସ କର୍ମଚାରୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ଡ୍ୟୁଟି ପରେ ପୋଲିସ କର୍ମଚାରୀମାନେ ଏହି ଭ୍ୟାନ୍‌ରେ ବିଶ୍ରାମ ନେଉଛନ୍ତି। ଭ୍ୟାନ୍‌ରେ ବିଶ୍ରାମ କକ୍ଷ ସହ ପିଇବା ପାଣି, ଶୌଚାଳୟ ସୁବିଧା ମଧ୍ୟ ରହିଛି। ମହିଳା ପୋଲିସ ମାନେ ଡ୍ୟୁଟି ସମୟରେ ଶୌଚାଳୟ ଯିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ଏହି ଭ୍ୟାନ୍ ମିଳିବା ପରେ ସେମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି। ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଯୋଗୁ ଫିଲ୍ମ ସୁଟିଂ ବନ୍ଦ ଥିବା ବେଳେ ଭ୍ୟାନ୍‌ର ମାଲିକ ପୋଲିସ କର୍ମଚାରୀଙ୍କ ସୁବିଧା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ଦେଶରେ ବେକାବୁ ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ୬୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୭୬୭ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧କୁ ବୃଦ୍ଧି ପାଇଛି। ଆକ୍ଟିଭ୍‌ କେସ୍‌- ୨୬,୮୨,୭୫୧ ଥିବାବେଳେ ୧,୪୦,୮୫,୧୧୦ ଜଣ ସୁସ୍ଥ ହୋଇ ସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ, ଏଣିକି ସବୁ ରାଜ୍ୟ ସରକାର ୬୦୦ ଟଙ୍କାରେ କିଣିବେ କୋଭାକ୍ସିନ। ଏନେଇ ଏହାର ନିର୍ମାତା ଫାର୍ମା କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ ଦର ନିର୍ଦ୍ଧାରଣ କରାଯାଇଛି। କେବଳ ରାଜ୍ୟ ସରକାରଙ୍କ ପାଇଁ ନୁହେଁ ଘରୋଇ ହସ୍ପିଟାଲ ଓ କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ କୋଭାକ୍ସିନ ଦର ମଧ୍ୟ ନିର୍ଦ୍ଧାରଣ କରିଛି ଭାରତ ବାୟୋଟେକ୍। ଘରୋଇ ହସ୍ପିଟାଲ କୋଭାକ୍ସିନର ପ୍ରତି ଡୋଜକୁ ୧୨୦୦ ଟଙ୍କାରେ କିଣିବେ ବୋଲି ସ୍ଥିର ହୋଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ୧୫୦ ଟଙ୍କାରେ କିଣିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

You might also like