ସଚେତନ ରୁହ, ଏବେ ବି ଭୟ ଯାଇନି-କରୋନାକୁ ନେଇ ଚେତାବନୀ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ ରହିଛି। ଏବେ ଭ୍ୟାକ୍ସିନ୍ ମଧ୍ୟ ଆସିସାରିଛି । ତେବେ ଏହାର ଅର୍ଥ ନୁହେଁ ଯେ ଆମେ କରୋନାକୁ ହାଲ୍‌କା ଭାବେ ନେବା ।  ଅବହେଳା କରିବା । ଦେଶରେ ଏବେ ଯେଉଁ ୬ଟି ରାଜ୍ୟରେ କୋଭିଡ୍ କେସ୍ ବଢୁଛି ତାହା କେବଳ ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ  ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।

କରୋନା ଏବେ ମଧ୍ୟ ସମ୍ପୂର୍ଣ୍ଣ ଯାଇନି। ଏଥିପ୍ରତି ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।  କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ  ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେପଟେ ମହାରାଷ୍ଟ୍ରରେ ଗତକାଲି ୧୫ ହଜାର ୮୧୭ଟି ନୂଆ ମାମଲା ସାମ୍ନାକୁ ଆସିଥିଲା।  ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଔରଙ୍ଗାବାଦ୍ ସହର ସମ୍ପୂର୍ଣ୍ଣ ଲକ୍‌ଡାଉନ କରାଯାଇଛି। ଔରଙ୍ଗାବାଦ ଜିଲ୍ଲାରେ କରୋନା ସଂକ୍ରମଣ  ସଂଖ୍ୟା୫୭, ୭୫୫ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୫୬୯ ଆକ୍ଟିଭ କେସ ରହିଛି।

ଅନ୍ୟପଟେ ଦେଶରେ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୨ କୋଟି ୮୦ ଲକ୍ଷ ଲାକଙ୍କୁ ଟିକା ଦିଆ ସରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଥାଉ କି, ଦେଶରେ କୋଭିଡ ପୁଣି ଅଣାୟତ ହେଉଛି।  ଦେଶରେ ଗତ ୨୪ ଘଣ୍ଟାରେ ୧୪୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨୪,୮୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୪୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୩୩ ହଜାର ୭୨୮କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍‌  ୨,୦୨,୦୨୨ ଥିବାବେଳେ ସୁସ୍ଥ ହେଲେଣି- ୧,୦୯,୭୩,୨୬୦

 

You might also like