ସାବାସ୍‌ ରବି; ଅଟୋରେ କରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲ୍‌ ପହଞ୍ଚାଉଛନ୍ତି

ରାଞ୍ଚି: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଗୋଟିଏପଟେ ହସ୍ପିଟାଲ୍‌ରେ ରୋଗୀଙ୍କ ପାଇଁ ବେଡ୍‌ ଓ ଅକ୍ସିଜେନ୍‌ର ଅଭାବ ଦେଖା ଦେଇ ଥିବାବେଳେ ଅନ୍ୟପଟେ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଓ ଅର୍ଥର ଅଭାବ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଠିକ୍‌ ସମୟରେ ଆମ୍ବୁଲାନ୍ସ ନମିଳିବାରୁ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଖାଲି ଏତିକି ନୁହେଁ, କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ନିଜ ଲୋକ ବି ପର କରି ଦେଉଛନ୍ତି। ଭଲ ମନ୍ଦ କଥା ବୁଝିବା ତ ଦୂରର କଥା ପାଖ ମଧ୍ୟ କେହି ମାଡ଼ୁ ନାହାନ୍ତି। ହେଲେ ଏଭଳି ସ୍ଥିତିରେ କିଛି ଲୋକ ସହାୟତାର ହାତ ବଢ଼ାଇ ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରୁଛନ୍ତି। 

ଝାଡ଼ଖଣ୍ଡ ରାଞ୍ଚିର ଜଣେ ଅଟୋ ଡ୍ରାଇଭର ନିଃସ୍ୱାର୍ଥପର ଭାବେ କରୋନା ଆକ୍ରାନ୍ତଙ୍କ ସେବା କରୁଛନ୍ତି। ଯେଉଁମାନେ କରୋନା ପଜିଟିଭ୍‌ ଓ ହସ୍ପିଟାଲ୍‌ ଯିବା ପାଇଁ ଅର୍ଥର ଅଭାବ ରହିଛି, ସେମାନଙ୍କୁ ଡ୍ରାଇଭର ରବି ନିଜ ଅଟୋରେ ମାଗଣାରେ ହସ୍ପିଟାଲ୍‌ ପହଞ୍ଚାଉଛନ୍ତି। ଏପ୍ରିଲ ୧୫ରୁ ସେ ଲୋକଙ୍କୁ ମାଗଣାରେ ହସ୍ପିଟାଲ୍‌ ପହଞ୍ଚାଉଛନ୍ତି। ଜଣେ ମହିଳାଙ୍କୁ RIMS ହସ୍ପିଟାଲ୍‌ ପହଞ୍ଚାଇବା ପାଇଁ ସବୁ ଅଟୋ ଡ୍ରାଇଭର ମନା କରିଦେବା ପରେ ସେ ହସ୍ପିଟାଲ୍‌ରେ ପହଞ୍ଚାଇଥିଲେ ବୋଲି ରବି କହିଛନ୍ତି। ସୋସିଆଲ୍‌ ମିଡିଆରେ ସେ ତାଙ୍କ ନମ୍ବର ଦେଇଛନ୍ତି। ଯେଉଁ କରୋନା ରୋଗୀ ହସ୍ପିଟାଲ୍‌ ଯିବାକୁ ଆବଶ୍ୟକ କରୁଛନ୍ତି ଓ ତାଙ୍କୁ କେହି ସାହାଯ୍ୟ କରିବା ପାଇଁ ନାହାନ୍ତି ଏଭଳି ସ୍ଥିତି ସେମାନେ ତାଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ରବି କହିଛନ୍ତି। 

ମହାମାରୀ କରୋନା ସମୟରେ ଯେଉଁଠି ନିଜ ଲୋକ ପର କରି ଦେଉଛନ୍ତି, ଏଭଳି ସ୍ଥିତିରେ ରକ୍ତ ସମ୍ପର୍କ ନଥାଇ ମଧ୍ୟ ରବି ଯେଉଁଭଳି ଭାବରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତାଙ୍କର ଏହି କାର୍ଯ୍ୟକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଛି।

ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗୋଟିଏ ଦିନରେ ୨,୮୧୨ ଜୀବନ ନେଇଛି ଏହି ମହାମାରୀ। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଥିବା ବେଲେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି ।

You might also like