କରୋନା ଗାଇଡ୍‌ଲାଇନ୍‌ ଉଲଂଘନ କଲେ ରାଷ୍ଟ୍ରପତି, ଦେବାକୁ ପଡ଼ିବ ଜୋରିମାନା

ବ୍ରାଜିଲ୍: କରୋନାକୁ ନେଇ ସବୁଠି ହାହାକାର । ଲୋକେ ଘରୁ ବାହାରିବାକୁ ବି ଡରୁଛନ୍ତି । ସରକାର ତଥା ବିଶେଷଜ୍ଞଙ୍କ ପକ୍ଷରୁ ଗୋଟିଏ ନୁହେଁ ଦୁଇ ଦୁଇଟି ମାସ୍କ ଏକା ସାଙ୍ଗରେ ପିନ୍ଧିବାକୁ କୁହାଯାଉଛି । ଏହାକୁ ଅନେକ ଲୋକ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମଧ୍ୟ । ହେଲେ ତଥାପି ସଂକ୍ରମଣ ସଂଖ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଭ୍ୟାକ୍ସିନେସନ ଆରମ୍ଭ ହୋଇଥିଲେ ମଧ୍ୟ ସଂକ୍ରମଣ ଉପରେ ରୋକ ଲାଗିପାରୁ ନାହିଁ କିମ୍ବା ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି ।

ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଛି କରୋନା ଭାଇରସ୍ । ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ବିଭିନ୍ନ ଦେଶ ନିଜ ନିଜ ଢଙ୍ଗରେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ସେହିଭଳି ବ୍ରାଜିଲରେ ମଧ୍ୟ କରୋନା ସହ ଲଢ଼େଇ ପାଇଁ ଲୋକମାନଙ୍କୁ ବିଭିନ୍ନ କଟକଣା ମାନିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାସହ ଯେଉଁମାନେ କୋଭିଡ-୧୯ କଟକଣାକୁ ଉଲଂଘନ କରିବେ ସେମାନଙ୍କ ପାଇଁ କଠୋର ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ରହିଛି ।

ତେବେ ଆପଣ କେବେ କଳ୍ପନା କରିପାରିବେ କି, କରୋନା ଗାଇଡଲାଇନ୍ ନମାନିବାରୁ ଜଣେ ରାଷ୍ଟ୍ରପତିଙ୍କୁ ଜୋରିମାନା ଦେବାକୁ ପଡ଼ିପାରେ ? ଆଜ୍ଞା ହଁ, ବ୍ରାଜିଲରେ ଏଭଳି ଏକ ଘଟଣା ଘଟିଛି । ଏକ ସାଧାରଣ ସଭାରେ ଯୋଗଦେଇଥିବା ବେଳେ କରୋନା ଗାଇଡ୍‌ଲାଇନ୍ ପାଳନ ନକରିବାରୁ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଜୋରିମାନା ଦେବାକୁ ପଡିବ । ସୂଚନାଯୋଗ୍ୟ, କୋଭିଡ -୧୯ ମହାମାରୀକୁ ରୋକିବା ପାଇଁ ବ୍ରାଜିଲ ଅହରହ ସଂଘର୍ଷ କରିବାରେ ଲାଗିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ନିୟମ ପାଳନ ନକରିବାରୁ ବୋଲସୋନାରୋଙ୍କୁ ଜୋରିମାନା ଦେବାକୁ ପଡିବ ବୋଲି ଶୁକ୍ରବାର ମାରାହ୍ନୋ ରାଜ୍ୟର ରାଜ୍ୟପାଳ ଫ୍ଲାଭିଓ ଡିନୋ କହିଛନ୍ତି । ବିନା ସୁରକ୍ଷା ବ୍ୟବସ୍ଥାରେ ଆୟୋଜିତ ହୋଇଥିବା ସମାବେଶକୁ ପ୍ରୋତ୍ସାହିତ କରିଥିବାରୁ ରାଷ୍ଟ୍ରପତି ବୋଲସୋନାରୋଙ୍କ ବିରୋଧରେ ସ୍ୱାସ୍ଥ୍ୟ ଅଧିକାରୀମାନେ ମାମଲା ଦାୟର କରିଛନ୍ତି । ଏହାସହ ଆଇନ କାନୁନ ସମସ୍ତଙ୍କ ପାଇଁ ସମାନ ବୋଲି ମଧ୍ୟ କୁହାଯାଇଛି ।

ଡିନୋ ଜନସାଧାରଣଙ୍କୁ ମନେ ପକାଇ ଦେଇଛନ୍ତି ଯେ, ତାଙ୍କ ରାଜ୍ୟରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶ ଉପରେ ଏକ ନିଷେଧାଦେଶ ରହିଛି । ଏହାସହ ରାଜ୍ୟରେ ଫେସ୍ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ବୋଲସୋନାରୋଙ୍କ କାର୍ଯ୍ୟାଳୟରେ ପାଖରେ ଏହି ଘଟଣା ନେଇ ଉତ୍ତର ଦେବାକୁ ୧୫ ଦିନ ସୟମ ରହିଛି । ଏହା ପରେ ଜୋରିମାନା ରାଶି ନିର୍ଣ୍ଣୟ କରାଯିବ । ନ୍ୟୁଜ୍ ଏଜେନ୍ସି  AFP ପକ୍ଷରୁ ବୋଲସୋନାରୋଙ୍କ କାର୍ଯ୍ୟାଳୟରୁ ମନ୍ତବ୍ୟ ପାଇବା ପାଇଁ ଚେଷ୍ଟା କରାଯାଇଥିଲା । ହେଲେ କୌଣସି ଉତ୍ତର ମିଳିନଥିଲା । ସୂଚନାଯୋଗ୍ୟ ଯେ, ଯୁକ୍ତରାଷ୍ଟ୍ର ଆମେରିକା  ପରେ ବ୍ରାଜିଲର କରୋନାରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଛି ।

You might also like