କରୋନା ରୋଗୀଙ୍କୁ ହସ୍ପିଟାଲରେ ନେବା ପାଇଁ ୪୨ ହଜାର ଟଙ୍କା ନେଲେ ଆମ୍ବୁଲାନ୍ସ ଡ୍ରାଇଭର, ଜଣାପଡ଼ିବା ପରେ…

ନୋଏଡା: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢୁ ଥିବାବେଳେ ଏଭଳି ସମୟରେ ହସ୍ପିଟାଲରେ କେଉଁଠି ବେଡ ମିଳୁନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖା ଦେଇଛି। ଆଉ କେଉଁଠି ଆମ୍ବୁଲାନ୍ସ ମିଳୁନାହିଁ। ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବା ଯୋଗୁ ରୋଗୀଙ୍କ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି। ଏପରିକି ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଲୋକଙ୍କୁଠୁ ମନଇଚ୍ଛା ଟଙ୍କା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। କେଉଁଠି ୩ କି.ମି. ପାଇଁ ୧୦ ହଜାର ଟଙ୍କା ତ ଆଉ କେଉଁଠି ୨୫ କି.ମି. ପାଇଁ ୪୪ ହଜାର ଟଙ୍କା ଗାଡି ଭଡ଼ା ନିଆଯାଉଥିବା ନଜର ଆସିଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ନୋଏଡାରେ ଘଟିଛି। ଯେଉଁଠି କରୋନା ଆକ୍ରାନ୍ତ ପରିବାର ଲୋକଙ୍କଠୁ ଆମ୍ବୁଲାନ୍ସ ଡ୍ରାଇଭର ୪୨ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ପୋଲିସ ଜାଣିବା ପରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ପୋଲିସ ଧରିଥିଲା।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୫୦ରେ ରହୁଥିବା ଅସିତ ନାମକ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର ଦେଖାଶୁଣା କରିବା ପାଇଁ ଅସିତଙ୍କ ସାନ ଭାଇ ଦିଲ୍ଲୀରୁ ଆସିଥିଲେ। ହଠାତ ଅସିତ ଅସୁସ୍ଥ ଅନୁଭବ କରିବା ସହ ଧୀରେ ଧୀରେ ତାଙ୍କର ଅକ୍ସିଜେନ ଲେବଲ ମଧ୍ୟ କମିବାରେ ଲାଗିଥିଲା। ଏହି ସମୟରେ ଅସିତଙ୍କ ସାନ ଭାଇ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଫୋନ କରିଥିଲେ ଓ ଆମ୍ବୁଲାନ୍ସ ଆସି ପହଞ୍ଚି ଥିଲା। ହେଲେ ଡ୍ରାଇଭର ଜଣଙ୍କ ୪୪ ହଜାର ଟଙ୍କା ମାଗିଥିଲେ। ଏହି ସମୟରେ ପରିବାର ଲୋକ ଡ୍ରାଇଭରଙ୍କ ସହ କୌଣସି ପ୍ରକାର ଯୁକ୍ତି ନକରି ଅସିତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ।

ଯେତେବେଳେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅସିତଙ୍କ ଭାଇ ପେମେଣ୍ଟ କରିଥିଲେ, ଡ୍ରାଇଭର ୨୫ କି. ମି. ପାଇଁ ୪୪ ହଜାର ଟଙ୍କା ଭଡ଼ା ମାଗିଥିଲେ। ଆପଣ କହୁଛନ୍ତି ବୋଲି ୨ ହଜାର ଟଙ୍କା କାଟି ଦେଉଛି ବୋଲି ଡ୍ରାଇଭର ଅସିତଙ୍କ ଭାଇଙ୍କୁ କହିଥିଲେ। ହେଲେ ୪୨ ହଜାର ଟଙ୍କାରୁ ଗୋଟିଏ ବି ଟଙ୍କା କମ ନେବି ନାହିଁ ବୋଲି ଡ୍ରାଇଭର ରୋକଠୋକ କହିଥିଲେ। ଶେଷରେ ଡ୍ରାଇଭରଙ୍କୁ ୪୨ ହଜାର ଟଙ୍କା ପେମେଣ୍ଟ କରିବା ସହ ଅସିତଙ୍କ ଭାଇ ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଆମ୍ବୁଲାନ୍ସର ନମ୍ବର ଆଧାରରେ ଡ୍ରାଇଭରଙ୍କ ନିକଟରେ ପହଞ୍ଚିଥିଲେ। ଘଟଣାକୁ ନେଇ ଡ୍ରାଇଭର ଜଣକ ସ୍ୱୀକାର କରିବା ସହ ଭୁଲ ମାଗିଥିଲେ। ଏହାସହ ସେ ଟଙ୍କା ମଧ୍ୟ ଫେରାଇ ଦେଇଥିଲେ।

You might also like