ଫୁସ୍ଫୁସ୍ ସହ ଶରୀରର ଅନ୍ୟ ଅଙ୍ଗକୁ ବି ପ୍ରଭାବିତ କରିପାରେ କରୋନା ଭାଇରସ୍
ନୂଆଦିଲ୍ଲୀ: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେଉଛନ୍ତି । ଦେଶରେ ସୁସ୍ଥ ହାର ଦ୍ରୁତ ଗତିରେ ବଢିଚାଲିଛି। ହେଲେ ଏହି ଭାଇରସ୍ ପ୍ରଭାବରେ କେବଳ ଫୁସ୍ଫୁସ୍ ଖରାପ ହେଉନି, ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରଭାବିତ ହେଉଛି। ଏପରି ଦାବି କରିଛନ୍ତି ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (AIIMS)ର ବିଶେଷଜ୍ଞମାନେ। ବୁଧବାର AIIMS ବିଶେଷଜ୍ଞମାନେ କହିଛନ୍ତି କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସବୁ ଅଙ୍ଗକୁ ପ୍ରଭାବିତ କରିପାରେ। ତେବେ ପ୍ରାଥମିକ ଅବସ୍ଥାରେ ରୋଗୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥାଏ।
AIIMSର ଡାକ୍ତର ରଣଦୀପ ଗୁଲେରିଆ, ସ୍ନାୟୁ ବିଭାଗର ପ୍ରମୁଖ ଡାକ୍ତର ଏମ୍.ବି. ପଦ୍ମା ଶ୍ରୀବାସ୍ତବ, ହୃଦୟ ଚିକିତ୍ସା ବିଜ୍ଞାନ ବିଭାଗର ପ୍ରଫେସର ଡା. ଅମ୍ବୁଜ ରାୟ, ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ନୀରଜ ନିଶ୍ଚଲଙ୍କ ସମେତ ଅନ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଆୟୋଜିତ ସାପ୍ତାହିକ ‘ନାଶନାଲ କ୍ଲିନିକାଲ ଗ୍ରାଉଣ୍ଡ ରାଉଣ୍ଡସ୍’ ରେ କୋଭିଡ-୧୯ ଫୁସ୍ଫୁସ୍ ଉପରେ କିପରି କୁପ୍ରଭାବ ପକାଉଛି ତାହା ଉପରେ ଆଲୋଚନା ହୋଇଥିଲା। ଆଲୋଚନାବେଳେ କରୋନା ଭାଇରସ୍ କିପରି ଅନ୍ୟ ଅଙ୍ଗକୁ ପ୍ରଭାବିତ କରୁଛି ସେ ଉପରେ ଅଧିକ ଗବେଷଣାକୁ ନେଇ ବିଚାରବିମର୍ଷ କରାଯାଇଥିଲା।
ଡା.ଗୁଲେରିଆଙ୍କ କହିଛନ୍ତି, ‘ଆମେ ଜାଣିଛୁ, କରୋନା ଭାଇରସ୍ ଫୁସଫୁସ୍ ଉପରେ ପ୍ରଭାବ ପକାଇଥାଏ। ତେବେ ମୂଳ ତଥ୍ୟ ହେଉଛି, ଏହି ଭାଇରସ୍ ଏସିଇ ୨ ରିସେପ୍ଟର ଦ୍ୱାରା କୋଷିକାରେ ପ୍ରବେଶ କରିଥାଏ। ଏହି କାରଣରୁ ଶ୍ୱାସନଳୀ ଏବଂ ଫୁସ୍ଫୁସ୍କୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ। ତେବେ ଅନ୍ୟ ଅଙ୍ଗରେ ମଧ୍ୟ ଏହି ଭାଇରସ ରହିଛି । ତେଣୁ ଏହି ଭାଇରସ ପ୍ରଭାବ ଅନ୍ୟ ଅଙ୍ଗରେ ମଧ୍ୟ ପଡ଼ିପାରେ।‘
ସେ ଆହୁରି କହିଛନ୍ତି, ଆମେ ଏମିତି ଅନେକ କରୋନା ରୋଗୀଙ୍କୁ ଦେଖିଛୁ, ଯେଉଁମାନଙ୍କର ଫୁସ୍ଫୁସ୍ ତୁଳନାରେ ଅନ୍ୟ ଅଙ୍ଗ ବେଶି ପ୍ରଭାବିତ ହୋଇଥାଏ। ବିଶେଷଜ୍ଞମାନେ ଏପରି ଅନେକ ଉଦାହରଣ ଦେଇଥିଲେ, ଯେଉଁଠି ରୋଗୀଙ୍କ ପାଖରେ କରୋନା ଲକ୍ଷଣ ନ ଥାଏ କିମ୍ବା ଅଳ୍ପ ଥାଏ। ହେଲେ ସେମାନଙ୍କର ଫୁସ୍ଫୁସ୍ ତୁଳନାରେ ଅନ୍ୟାନ୍ୟ ଅଙ୍ଗରେ ସାଂଘାତିକ ସମସ୍ୟା ଦେଖା ଦେଇଥାଏ ଯାହା ମୃତ୍ୟୁର କାରଣ ବି ହୋଇଥାଏ।